ନୃସିଂହ ଗୁଜ ଅନୁକୂଳ

0

ପୁରୀ  : ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଶନିବାର ରଥଖଳାରେ ଗୁଜ ଅନୁକୂଳ ହୋଇଛି। ଏହାକୁ ନୃସିଂହ ଗୁଜ କୁହାଯାଏ। ମହାରଣା ସେବକ ତିନିଖଣ୍ଡ ଧଉଁରା ଓ ଅସନ କାଠ ଚଉପଟ କରିଥିଲେ। ସେଥିରେ ଶ୍ରୀଫଳ, ମାଳ ଓ ମାହାର୍ଦ ଲାଗି କରାଯାଇଥିଲା। ରୂପକାର ସେବକ ଗୁଜରେ ନୃସିଂହ ମୂର୍ତ୍ତି ଅଙ୍କନକରି ଅନୁକୂଳ କରିଥିଲେ। ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାର ରଥ ନିର୍ମାଣରେ ଯୋଗ ଦେବାର ପରମ୍ପରା ରହିଛି। ସେହିପରି ରଥଖଳାରେ ଜନ୍ତାଗାଡ ଖୋଳାଯାଇଛି। ଭୋଇ ସେବକ ସେଥିରେ ସିଙ୍ଗଡା ବାଡିଆ କାର୍ଯ୍ୟ ସମ୍ପାଦନ କରିବେ। ଗତବର୍ଷଠାରୁ ପୋତାହୋଇ ରହିଥିବା ଯନ୍ତାଗାଡରୁ ମାଟି ବାହାର କରାଯାଇଛି। ଶନିବାର ସନ୍ଧ୍ୟାସୁଦ୍ଧା ତିନିରଥ ପାଇଁ ୪୨ ତୁମ୍ବ ନିର୍ମାଣ ଶେଷ ହୋଇଛି। ସେଥିରେ ୧୬ ଯୋଡ଼ା ଲେଖାଏଁ ବିନ୍ଧ କରାଯାଉଛି। ମହାରଣାମାନେ ବିନ୍ଧ କାର୍ଯ୍ୟରେ ଲାଗି ପଡିଛନ୍ତି। ଖପୁରିଆ କରତକଳରୁ ଅର ଓ ପହି ଆସିବା ପରେ ତୁମ୍ବରେ ସଂଯୋଗ କରାଯିବ। ଆଗାମୀ ୭ତାରିଖ ଦିନ ଭଉଁରୀ ତିଥିରେ ଚକ ଡେରାଯିବା ବିଧି ରହିଛି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟାକବ୍‍ଜା ପ୍ରସ୍ତୁତ କରାଯାଉଛି। ମହାରଣା, ଭୋଇ, ରୂପକାର ଏବଂ କମାର ସେବକ ହବିଷବ୍ରତ ପାଳନ କରୁଛନ୍ତି।

Leave A Reply