୩ ହାଇୱେ ଲୁଟେରା ଗିରଫ

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟି କରିଥିବା ୩ଜଣ ହାଇୱେ ଲୁଟେରାଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଦୁଇଟି ଚୋରୀ ବାଇକ୍‍, ଗୋଟିଏ ଦେଶୀ ବନ୍ଧୁକ, ୬ଟି ମୋବାଇଲ୍‍ ଫୋନ୍‍, ୫ଟି ମନିପର୍ସ ଓ ୧୨ଶହ ଟଙ୍କାକୁ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟି ନୂଆସାହିର କାର୍ତ୍ତିକ ବେହେରା ଓରଫ ଡୋକୋମୋ(୨୪), ରାଜକିଶୋର ବେହେରା ଓରଫ ବାପି(୨୫) ଓ ବାସେଳି ସାହି ଲୋକନାଥ ରୋଡ୍‍ର ରାଜନ୍ଦ୍ରେ ତିୱାରି ଓରଫ ରାଜା(୨୪) । ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ପିପିଲି ବାଇପାସ ରାସ୍ତା ସମେତ ଜାତୀୟ ରାଜପଥ ଉପରେ ଲଗାତର ଭାବେ ଏକାଧିକ ଲୁଟ୍‍ ଓ ଡକାୟତି ଘଟଣା ଘଟିଥିବା ବେଳେ ଏହା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏପରିକି ଲୋକେ ଉକ୍ତ ରାସ୍ତାରେ ଏକୁଟିଆ ଯିବାକୁ ନିରାପଦ ମଣୁନଥିଲେ । ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ, ଏସ୍‍ଆଇ କ୍ଷୀରୋଦ କୁମାର ମିଶ୍ରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ସ୍ଥାନ ଉପରେ ଚଢାଉ ଜାରି ରଖିଥିଲେ । ବୁଧବାର ବିଳମ୍ବିତ ରାତିରେ ପୁଲିସର ରାତ୍ର ପେଟ୍ରୋଲିଂ ସମୟରେ ମଙ୍ଗଳପୁର ବଜାର ନିକଟରେ ଡକାୟତି ପାଇଁ ପ୍ରସ୍ତୁତ ଥିବା ଏହି ଗ୍ୟାଙ୍ଗର କାର୍ତ୍ତିକ ଓରଫ ଡୋକୋମୋକୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ତାଠାରୁ ଏକ ଚୋରୀ ବାଇକ ଓ ଦେଶୀ ବନ୍ଧୁକକୁ ଜବତ କରିଥିଲା । ତାଠାରୁ ମିଳିଥିବା ସୂଚନାକୁ ଆଧାର କରି ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ସେମାନଙ୍କ ଠାରୁ ଅନ୍ୟ ଏକ ଚୋରି ବାଇକ, ମୋବାଇଲ ଆଦି ଜବତ କରିଥିଲା । ଗିରଫ ଅଭିଯୁକ୍ତମାନେ ପିପିଲି ଥାନାର ୫ଟି ହାଇୱେ ଲୁଟ୍‍ ମାମଲାରେ ସଂପୃକ୍ତ ଥିବା ବେଳେ ସେମାନଙ୍କ ନାମରେ ପୁରୀ ଟାଉନ ଥାନାରେ ଗୋଟିଏ ଓ କ୍ୟାପିଟାଲ ଥାନାରେ ୨ଟି ମାମଲା ରହିଛି । ପୁଲିସ ସେମାନଙ୍କ ଠାରୁ ଜବତ କରିଥିବା ୟାମାହା ଏଫ୍‍ଜେଡ୍‍ ବାଇକ ଓ ହୋଣ୍ଡା ସାଇନ ବାଇକ୍‍ ଦୁଇଟି ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଞ୍ଚଳରୁ ଚୋରୀ ହୋଇଥିବା ସଂପର୍କରେ ଆଇଆଇସି ଶରତ କୁମାର ସାହୁ ଗୁରୁବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ରାତି ୧୨ଟାରୁ ୩ଟା ମଧ୍ୟରେ ହାଇୱେରେ ଲୁଟ୍‍ କରୁଥିବା ସଂପର୍କରେ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଗିରଫ ଡୋକୋମୋ ପୁରୀ ବଡଦାଣ୍ଡରେ ଏକ ଫଟୋ ଦୋକାନ କରିଥିବା ବେଳେ ରାଜେନ୍ଦ୍ର ଜଣେ ଅଟୋ ଚାଳକ ହୋଇଥିବା ପୁଲିସ ସୂଚନା ଦେଇଛି ।

Leave A Reply