ଦିଲ୍ଲୀ ଡେୟାର ଡେଭିଲ୍‍ସକୁ ୪ ରନ୍‍ରେ ପରାସ୍ତ କଲା କିଙ୍ଗସ୍‍ ଏକାଦଶ ପଞ୍ଜାବ

0

ଦିଲ୍ଲୀ : କିଙ୍ଗସ୍‍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ ଡେୟାର ଡେଭିଲ୍‍ସ ମଧ୍ୟରେ ସୋମବାର ଅନୁଷ୍ଠିତ ଆଇପିଏଲ୍‍ ମ୍ୟାଚ୍‍ରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଦିଲ୍ଲୀ ଡେୟାର ଡେଭିଲ୍‍ସକୁ ୪ ରନ୍‍ରେ ପରାସ୍ତ କରିଛି କିଙ୍ଗସ୍‍ ଏକାଦଶ ପଞ୍ଜାବ ଦଳ।
୧୪୪ ରନ୍‍ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‍ ହରାଇ ୧୩୯ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ମୂଳରୁ ମ୍ୟାଚ୍‍ ଜିତିବାକୁ ପ୍ରୟାସ କରିଥିଲା। ଶ୍ରେୟସ ଆୟାର ଭଲ ପ୍ରଦର୍ଶନ କରି ଦଳକୁ ବିଜୟୀ କରିବେ ବୋଲି ଆଶା କରାଯାଉଥିଲା। ତେବେ ସେ ଆଉଟ୍‍ ହେବା ପରେ ଦଳ ବିଜୟୀ ହେବାରେ ବିଫଳ ହୋଇଥିଲା। ଦଳ ତରଫରୁ ପୃଥ୍ୱି ସ’ ୨୨, ଅଧିନାୟକ ଗୌତମ ଗମ୍ଭୀର ୪, ମ୍ୟାକ୍ସୱେଲ୍‍ ୧୨, ଶ୍ରେୟସ ଆୟାର ୫୭, ଋଷଭ ପନ୍ଥ ୪, କ୍ରିଷ୍ଟିଆନ୍‍ ୬, ତେୱାତିଆ ୨୪ ରନ୍‍ କରିଥିଲେ। ପଞ୍ଜାବ ବୋଲର ରାଜପୁତ, ଟାଏ ଓ ଅଶ୍ୱିନ୍‍ ୨ଟି ଲେଖାଏଁ ୱିକେଟ୍‍ ହାସଲ କରିଥିଲେ।
ଟସ୍‍ରେ ଜିତି ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଞ୍ଜାବକୁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‍ ହରାଇ ୧୪୩ ରନ୍‍ ସଂଗ୍ରହ କରିଥିଲା। ଦଳ ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍କୋର ମାତ୍ର ୬ ରନ୍‍ ହୋଇଥିବା ବେଳେ ଦଳର ପ୍ରଥମ ୱିକେଟ୍‍ ପତନ ଘଟିଥିଲା। ତେବେ କେଏଲ୍‍ ରାହୁଲ ଓ ମୟଙ୍କ ଅଗ୍ରୱାଲ୍‍ ଦ୍ୱିତୀୟ ୱିକେଟ ନିମନ୍ତେ ୩୬ ରନ୍‍ ସଂଗ୍ରହ କରିଥିଲେ। ସ୍କୋର ୪୨ ରନ୍‍ ହୋଇଥିବା ବେଳେ ରାହୁଲ ୩ଟି ଚୌକା ଓ ୧ଟି ଛକା ସହାୟତାରେ ୨୩ ରନ୍‍ କରି ପ୍ଲକେଟ୍‍ଙ୍କ ବଲ୍‍ରେ ଆଉଟ୍‍ ହୋଇଥିଲେ। ମୟଙ୍କ ଅଗ୍ରୱାଲ୍‍ ବେଶୀ ସମୟ ତିଷ୍ଠି ପାରିନଥିଲେ। ସେ ୩ଟି ଚୌକା ସହାୟତାରେ ୨୧ ରନ୍‍ କରି ପ୍ଲକେଟ୍‍ଙ୍କ ଶିକାର ହୋଇଥିଲେ। ଏହାପରେ କରୁଣ ନାୟାର ଓ ଯୁବରାଜ ସିଂହ ଦଳର ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ଯୁବରାଜ ମାତ୍ର ୧୪ ରନ୍‍ କରି ଆବେସଙ୍କ ବଲରେ ଆଉଟ୍‍ ହୋଇଥିଲେ। ଯୁବରାଜ ଆଉଟ୍‍ ହେବା ପରେ କରୁଣ ନାୟାର ଓ ଡେଭିଡ ମିଲର ଦ୍ରୁତ ଗତିରେ ରନ୍‍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଦଳର ସ୍କୋର ୧୧୬ ରନ୍‍ ହୋଇଥିବା ବେଳେ ନାୟାର ୪ଟି ଚୌକା ସହାୟତାରେ ୩୪ ରନ୍‍ କରି ପ୍ଲକେଟଙ୍କ ବଲରେ ଆଉଟ୍‍ ହୋଇଥିଲେ। ସେହିପରି ମିଲର ୧୯ଟି ବଲ୍‍ରୁ ୧ଟି ଚୌକା ଓ ୧ଟି ଛକା ସହାୟତାରେ ୨୬ ରନ୍‍ କରି କ୍ରିଷ୍ଟିଆନ୍‍ଙ୍କ ବଲରେ ଆଉଟ୍‍ ହୋଇ ପାଭିଲିୟନ୍‍ ଫେରି ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅଶ୍ୱିନ୍‍ ୬ ଓ ଟାଏ ୩ ରନ୍‍ କରି ଆଉଟ୍‍ ହୋଥିଲେ।

ଦିଲ୍ଲୀ ବୋଲର ପ୍ଲକେଟ୍‍ ୩ଟି ୱିକେଟ୍‍ ଅକ୍ତିଆର କରିଥିବା ବେଳେ ଟ୍ରେଣ୍ଟ ବୋଲ୍‍ଟ, ଆଭେସ୍‍ ଖାନ୍‍ ୨ଟି ଲେଖାଏଁ ୱିକେଟ୍‍ ହାସଲ କରିଥିଲେ।

Leave A Reply