୧୭ତୁମ୍ବ ଗୋଲେଇ ସରିଲା

0

ପୁରୀ: ରଥଖଳାରେ ରବିବାର ସନ୍ଧ୍ୟାସୁଦ୍ଧା ୧୭ଟି ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ସେଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥପାଇଁ ୫, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ନିମନ୍ତେ ୬ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଉଦ୍ଦେଶ୍ୟରେ ୬ଟି ତୁମ୍ବ ଗୋଲେଇ କରାଯାଇଛି । ତିନିରଥ ପାଇଁ ୪୨ତୁମ୍ବ ନିର୍ମାଣ କରାଯିବ। ସେଥିରେ ୧୬ଟି ଲେଖାଏଁ ଅର ଏବଂ ୪ଟି ଲେଖାଏଁ ପହି ସଂଯୋଗ କରାଯିବାର ବିଧି ରହିଛି । ପ୍ରତି ତୁମ୍ବରେ ୧୬ଯୋଡା ଲେଖାଏଁ ବିନ୍ଧ କରାଯିବ। ୩ରଥର ମୁଖ୍ୟ ମହାରଣା ସେବକଙ୍କ ଉପସ୍ଥିତିରେ ତୁମ୍ବ ନିର୍ମାଣ ଚାଲିଛି। ବୌଦ୍ଧ ଜଙ୍ଗଲରୁ ଆସିଥିବା ୫ଫୁଟ ଗୋଲେଇ ବିଶିଷ୍ଟ ଫାସିକାଠ କଟାଯାଇ ତୁମ୍ବ କରାଯାଉଛି। କାଠରୁ ବକଳ (ଛେଲି) ଛଡାଯିବା ପରେ ଗୋଲେଇ ୨୦ଇଞ୍ଚ ଏବଂ ଲମ୍ବ ୪୦ଇଞ୍ଚ ରହିଛି। ଏହାପରେ ସେଥିରେ ଠେକ କରାଯିବ। ରଥ ନିର୍ମାଣରେ ତୁମ୍ବର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେତୋଟି ତୁମ୍ବ ସେତୋଟି ଚକ।
ଆଗାମୀ ନୃସିଂହ ଚତୁର୍ଦ୍ଦଶୀ ଠାରୁ ଗୁଜ ଅନୁକୂଳ କରାଯିବ। ପ୍ରବଳ ଖରାଯୋଗୁଁ ରଥ ନିର୍ମାଣ ବାଧାପ୍ରାପ୍ତ ହୋଇଛି। ମଜୁରୀ ବୃଦ୍ଧି ପାଇଁ ମହାରଣା ସେବକ ଦାବି କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ନିମନ୍ତେ ପୂର୍ତ୍ତ ଯନ୍ତ୍ରୀ, ଅଭିଜ୍ଞ ଦଇତାପତି ଏବଂ ମନ୍ଦିର ପ୍ରଶାସନ ଅଧିକାରୀଙ୍କୁ ନେଇ ଖୁବ୍‍ଶୀଘ୍ର ଏକ କମିଟି ଗଠନ କରାଯିବ। ଚଳିତବର୍ଷ ମଳମାସ ପଡୁଥିବାରୁ ରଥ ନିର୍ମାଣ ପାଇଁ ଯଥେଷ୍ଟ ସମୟ ରହିଛି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ମହାରଣା ସେବକଙ୍କୁ ସାମ୍ଭାବ୍ୟ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ ପାଇଁ ମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ୬୦ଜଣ ମହାରଣା ସେବକଙ୍କୁ ଚଳିତବର୍ଷ ବୀମାଭୁକ୍ତ କରାଯିବ। ସେଥିରେ ୧୦ଜଣ ମହାରଣା ସେବକ ଏବଂ ଅନ୍ୟ ୫୦ଜଣ ଭାଇପୁଅ ମହାରଣା ରହିଛନ୍ତି। ଦୁର୍ଘଟଣା ବୀମା ପ୍ରିମିୟମ ରାଶି ମନ୍ଦିର ପ୍ରଶାସନ ବୀମା କମ୍ପାନୀରେ ଦାଖଲ କରିବ ବୋଲି ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। ଦୋଳବେଦୀ ନିକଟରେ ପ୍ରତିଷ୍ଠା କରାଯାଇଥିବା ଅସ୍ଥାୟୀ କମାରଶାଳ ଚଳଚଞ୍ଚଳ ହୋଇଉଠିଛି। ୩ଜଣ କମାର ସେବକ କଣ୍ଟା କବ୍‍ଜା ପ୍ରସ୍ତୁତ କରୁଛନ୍ତି। ଭୋଇ ସେବକ ରଥ ନିର୍ମାଣ ପାଇଁ ମହାରଣାଙ୍କୁ କାଠ ଯୋଗାଇବାରେ ସହଯୋଗ କରୁଛନ୍ତି। ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଆବଶ୍ୟକତା ଅନୁଯାୟୀ କାଠ ଯୋଗାଇଥିବା ଜଣାପଡିଛି।

Leave A Reply