ମାଓବାଦୀଙ୍କ କବଳରୁ ମୁକୁଳିଲେ ୪ଅପହୃତ

0

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ନିୟମଗିରି ପାଦଦେଶରେ ତ୍ରିଲୋଚନପୁର ଗାଁର ଗ୍ରାମରକ୍ଷୀଙ୍କ ସହ ଅପହୃତ ୪ ଗ୍ରାମବାସୀଙ୍କୁ ରବିବାର ପ୍ରତ୍ୟୁଷରୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ତିନିଦିନ ଧରି ସେମାନଙ୍କୁ ମାଓବାଦୀମାନେ ନିସ୍ତୁକ ମାଡ଼ ମାରିଥିବା ଏବଂ ନିର୍ଯାତନା ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତେବେ ଏ ସମ୍ପର୍କରେ ମୁକ୍ତ ବ୍ୟକ୍ତି ବା ତାଙ୍କ ପରିବାର କୌଣସି ଅଭିଯୋଗ କରିନାହାନ୍ତି ଓ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ୪ଜଣ ଗ୍ରାମବାସୀ ମୁକ୍ତ ହେବା ପରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଲାଗି ରହିଛି । ଅନ୍ୟପକ୍ଷରେ ଅପହୃତମାନେ ଫେରିବା ପରେ ସେମାନଙ୍କ ପରିବାରରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି।
ତ୍ରିଲୋଚନପୁର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ମାଝୀ ସହ ରାଜୁ ହରିଜନ, ବାବୁଲା ହରିଜନ ଓ ବିଶିକେଶନ ହରିଜନଙ୍କୁ ମାଓବାଦୀମାନେ ୧୯ ତାରିଖ ବିଳମ୍ବିତ ରାତିରେ ଅପହରଣ କରି ନେଇଥିଲେ। ୩ ଦିନ ଧରି ସେମାନଙ୍କର ପତ୍ତା ମିଳିି ନ ଥିଲା। ଅପହୃତଙ୍କୁ ମାଓବାଦୀମାନେ ଅଲଗା ଅଲଗା ସ୍ଥାନରେ ରଖି ତିନିଦିନ ଧରି ନିସ୍ତୁକ ମାଡ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଅପହରଣ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଘଟଣା ସମ୍ପର୍କରେ ପରିବାର ଲୋକମାନେ ନିରବ ରହିବା, ତଦନ୍ତ ନେଇ ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବା, ଏପରିକି ତ୍ରିଲୋଚନପୁର ଗାଁକୁ ଯାଇ ତଦନ୍ତ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ବିଭିନ୍ନ ଦିଗକୁ ଇଙ୍ଗିତ କରିଛି ଏବଂ ପୁଲିସର ପାରିବାରପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଓ ମାଓବାଦୀଙ୍କ ପତିଆରା ଲଢ଼େଇ ମଧ୍ୟରେ ସାଧାରଣ ଲୋକମାନେ ପେଷି ହେଉଛନ୍ତି ଏବଂ ଭୟରେ ଜୀବନ କଟାଉଛନ୍ତି। ସମ୍ପ୍ରତି ରାୟଗଡା-କଳାହାଣ୍ଡି ସୀମାନ୍ତବର୍ତ୍ତୀ ନିୟମଗିରି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଲାଲବାହିନୀ କବ୍‍ଜାରେ ରହିଛି। ସୁରକ୍ଷା ଦୃଷ୍ଟିରୁ ଯେଉଁ ଅଞ୍ଚଳରେ ତିନିଦିନ ପରେ ମଧ୍ୟ ପୁଲିସ ପହଞ୍ଚି ପାରୁନାହିଁ, ସେଠାରେ ସାଧାରଣ ଲୋକ କିପରି ନିଜକୁ ସୁରକ୍ଷିତ ମଣିବ ଓ ମାଓବାଦୀଙ୍କ ବିରୋଧରେ ମୁହଁ ଖୋଲିବ ତାହା ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୧ରେ ଏହି ଅଞ୍ଚଳରେ ଅଜିତ୍‍ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ମାଓବାଦୀଙ୍କ ଶିକାର ହେବା ପରେ ଏହି ଅଞ୍ଚଳ ପୁଲିସ ପାଇଁ ଅପହଞ୍ଚ ହୋଇଛି ଓ ସାଧାରଣ ଲୋକମାନେ ଭୀତତ୍ରସ୍ତ ହୋଇ ଜୀବନ ଜୀଉଛନ୍ତି।

Leave A Reply