ଛାତ୍ରଛାତ୍ରୀ ଅଭାବ : ୧.୩୬ଲକ୍ଷ ଆସନ କମାଅ

0

ନୂଆଦିଲ୍ଲୀ : ଛାତ୍ରଛାତ୍ରୀ ଅଭାବକୁ ନେଇ ଦେଶର ଇଞ୍ଜିନିୟରିଂ କଲେଜଗୁଡିକ ଆସନ ସଂଖ୍ୟା କମାଇବାକୁ ଏହାର ପରିଷଦକୁ ନିବେଦନ କରିଛନ୍ତି। ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ରିପୋର୍ଟ ଅନୁଯାୟୀ ଆଗାମୀ ଶିକ୍ଷାବର୍ଷଠାରୁ ୧ଲକ୍ଷ ୩୬ହଜାର ବିଟେକ୍‍ ଓ ଏମ୍‍ଟେକ୍‍ ଆସନ କମାଇବା ଲାଗି ଇଞ୍ଜିନିୟରିଂ କଲେଜଗୁଡିକ ନିବେଦନ କରିଛନ୍ତି। ପ୍ରାଥମିକ ଭାବେ ୮୩ଟି ଇଞ୍ଜିନିୟରିଂ କଲେଜ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବାକୁ ଅନୁମତି ଲୋଡିଛନ୍ତି। ଏହିସବୁ ଅନୁଷ୍ଠାନ ବନ୍ଦ ଦ୍ୱାରା ୨୪ହଜାର ଇଞ୍ଜିନିୟରିଂ ଆସନ ହ୍ରାସ ପାଇବ। ସେହିପରି ଆଉ ୪୯୪ଟି ଇଞ୍ଜିନିୟରିଂ କଲେଜ ଅଣ୍ଡର ଗ୍ରାଜୁଏଟ୍‍ ଓ ପୋଷ୍ଟ ଗ୍ରାଜୁଏଟ୍‍ ଆସନ ଆଗାମୀ ଶିକ୍ଷାବର୍ଷରୁ ବନ୍ଦ କରିବାକୁ ଅନୁମତି ଲୋଡିଛନ୍ତି। ଏହି ଇଞ୍ଜିନିୟରିଂ କଲେଜଗୁଡିକ ମୋଟ ଉପରେ ୬୨୦୦୦ ଆସନ ହ୍ରାସ କରିବାକୁ କହିଛନ୍ତି। ଯେଉଁ କଲେଜଗୁଡିକ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଆବେଦନ କରିଛନ୍ତି ସେସବୁକୁ ଏଆଇସିଟିଇ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନେଇଛି। ୫ବର୍ଷ ହେଲା ଯେଉଁସବୁ ଇଞ୍ଜିନିୟରିଂ କଲେଜରେ ୩୦% ଆସନ ପୂରଣ ହୋଇ ନାହିଁ ସେହିସବୁ ଇଞ୍ଜିନିୟରିଂ କଲେଜରେ ଆସନ ସଂଖ୍ୟା ଆଗାମୀ ଶିକ୍ଷାବର୍ଷ ଠାରୁ ୫୦% ହ୍ରାସ କରାଯିବ। କଲେଜର ଯେଉଁସବୁ ପାଠ୍ୟକ୍ରମରେ ନାମଲେଖା ହୋଇ ନାହିଁ ସେହିସବୁ ପାଠ୍ୟକ୍ରମକୁ ବନ୍ଦ କରିଦିଆଯିବ ବୋଲି ଏଆଇସିଟିଇ କହିଛି। ଆମ ଦେଶର ଇଞ୍ଜିନିୟରିଂ କଲେଜଗୁଡିକରେ ୭୦% ଆସନ ବୈଷୟିକ ପାଠ୍ୟକ୍ରମ ଲାଗି ରହିଥିବାବେଳେ ଅବଶିଷ୍ଟ ଆସନ ମ୍ୟାନେଜମେଣ୍ଟ, ଫାର୍ମାସି, ଏମସିଏ, ଆର୍କିଟେକଚର, ହୋଟେଲ ମ୍ୟାନେଜମେଣ୍ଟ, ଟାଉନ ପ୍ଲାନିଂ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଲାଗି ରହିଥାଏ। ୨୦୧୬-୧୭ ଶିକ୍ଷା ବର୍ଷରେ ଦେଶର ୩୨୯୧ଟି ଇଞ୍ଜିନିୟରିଂ କଲେଜର ୧୫.୫ ଲକ୍ଷ ଆସନରୁ ପ୍ରାୟ ୫୦% ଆସନ ପୂରଣ ହୋଇ ନଥିବା ଏକ ରିପୋର୍ଟରୁ ଜଣାଯାଇଥିଲା। ଇଞ୍ଜିନିୟରିଂ କଲେଜ ଗୁଡିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ, ଦକ୍ଷ ଶିକ୍ଷକଙ୍କ ଅଭାବ ଏବଂ ନିଯୁକ୍ତି ସୁଯୋଗର ଅଭାବକୁ ନେଇ ଇଞ୍ଜିନିୟରିଂ ପାଠ ପ୍ରତି ପିଲା ଓ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏପରିସ୍ଥିତିରେ ୬୪ଟି ପ୍ରତିଷ୍ଠାନ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବା ଲାଗି ଆବେଦନ କରିଛନ୍ତି। ଏହି ନୂଆ ଅନୁଷ୍ଠାନରେ ପ୍ରାୟ ୧୫ହଜାର ପିଲା ପାଠ ପଢିବାର ବ୍ୟବସ୍ଥା ରହିବ। ଅନ୍ୟପଟେ ୨୪୭ଟି ଇଞ୍ଜିନିୟରିଂ କଲେଜ ନିଜର ଆସନ ସଂଖ୍ୟା ବୃଦ୍ଧି ପାଇଁ ଆବେଦନ କରିଛନ୍ତି। ଏହି ଆସନ ବୃଦ୍ଧିକୁ ଅନୁମତି ଦିଆଗଲେ ପ୍ରାୟ ୨୫ହଜାର ନୂଆ ପିଲା ପାଠ ପଢିବାର ସୁବିଧା ପାଇବେ।

Leave A Reply