ଏଟିଏମରେ ଟଙ୍କା ଅଭାବ : ବିଜେଡିର ଦୁଇଘଣ୍ଟିଆ ପ୍ରତିବାଦ ଆଜି

0

ଭୁବନେଶ୍ୱର : ଏଟିଏମରେ ଟଙ୍କା ଅଭାବକୁ ନେଇ ଗତକାଲି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି ଏହାର ପ୍ରତିବାଦରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ବିଜେଡ଼ି ଡକରା ଦେଇଛି। ଆସନ୍ତାକାଲି ସକାଳ ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ରାଜ୍ୟର ସମସ୍ତ ଜିଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜୁ ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ସମବାୟ ସାମ୍ମୁଖ୍ୟ ତରଫରୁ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ। ପ୍ରତିବାଦ ସମୟରେ ସାଧାରଣ ଗ୍ରାହକ ଏବଂ ବ୍ୟାଙ୍କର ପରିଚାଳନାରେ କୌଣସି ବାଧାସୃଷ୍ଟି କରାଯିବ ନାହିଁ। ଉପୁଜୁଥିବା ପରିସ୍ଥିତି ଯୋଗୁଁ ସାଧାରଣ ଜନତା ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି ସେ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏବଂ ଡ. ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି।
ବିଜେଡି ଅଭିଯୋଗ କରିଛି ଯେ ୨୦୧୬ରେ ବିମୁଦ୍ରାୟନ ଯୋଗୁଁ ଭାରତବର୍ଷର ଅର୍ଥ ବ୍ୟବସ୍ଥା ଓ ବିକାଶହାର ପ୍ରଭାବିତ ହୋଇଥିଲା। ଗତ ଦେଢ଼ ବର୍ଷ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ନ ଆସୁଣୁ ଏବେ ଏଟିଏମ୍‌ଗୁଡ଼ିକରେ ଟଙ୍କାର ଅଭାବ ଭାରତବର୍ଷର ଅର୍ଥନୀତି ଆହୁରି ବିପର୍ଯ୍ୟୟ ଆଡ଼କୁ ଅଗ୍ରଗତି ହୋଇଛି। କେନ୍ଦ୍ର ସରକାର ଦେଶର ବ୍ୟାଙ୍କ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିସାରିଛନ୍ତି। ବିମୁଦ୍ରାୟନ ପରେ ଏଟିଏମ୍‌ଗୁଡିକୁ ପୁନଃ ସଂସ୍କରଣର ଆବଶ୍ୟକତା ଥିଲା, କିନ୍ତୁ ଦେଢ଼ ବର୍ଷ ପରେ ମଧ୍ୟ ଅନେକ ଏଟିଏମ୍‌ ଅକାମୀ ହୋଇପଡ଼ିଛି ଏବଂ ଜନସାଧାରଣ ତା’ର ଲାଭ ଆଜି ପର୍ଯ୍ୟନ୍ତ ପାଇପାରୁ ନାହାନ୍ତି। କେନ୍ଦ୍ର ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଇନାହାନ୍ତି।
ବିମୁଦ୍ରାୟନ ପରେ ହଜାରେ ଟଙ୍କିଆ ବନ୍ଦ କରି ଦୁଇ ହଜାର ଟଙ୍କିଆ ନୋଟ୍‌ ବଜାରକୁ ଛଡ଼ାଯାଇଥିଲା। ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା ଯେ ହଜାରେ ଟଙ୍କିଆ ନୋଟ୍‌ ଯୋଗୁ କଳାଧନ ବଢ଼ୁଛି, କିନ୍ତୁ ଏବେ ଦେଖାଯାଇଛି, ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ ପରେ କଳାଧନ ଆହୁରି ଦ୍ରୁତଗତିରେ ବୃଦ୍ଧି ପାଇଛି ଏବଂ ବିମୁଦ୍ରାୟନର ମୂଳ ଲକ୍ଷ୍ୟ ବିଫଳ ହୋଇଛି। ଦେଶରେ ଏବେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଲାଗି କେନ୍ଦ୍ର ସରକାର ଦାୟୀ।
ଜନସାଧାରଣ ନିଜର ଉପାର୍ଜିତ ଟଙ୍କାକୁ ଠିକ୍‌ ସମୟରେ ନପାଇବା ଏକ ଗୁରୁତର ଅପରାଧ। କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିହୀନ ପଦକ୍ଷେପ ଯୋଗୁଁ ଦେଶ ଆର୍ଥିକ ବିଶୃଙ୍ଖଳା ଓ ଅରାଜକତାକୁ ଆଡ଼କୁ ଟାଣି ହୋଇଯାଇଛି। ସବୁ ସ୍ତରରେ ଏହାର ଦୃଢ଼ ପ୍ରତିବାଦ କରିବାକୁ ବିଜୁ ଜନତା ଦଳ ଆହ୍ୱାନ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ।

Leave A Reply