ଗ୍ରାମରକ୍ଷୀ ସମେତ ୪ଅପହୃତ

0

ଲାଞ୍ଜିଗଡ : ଗତ କିଛିମାସ ହେଲା କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକରେ ମାଓବାଦୀଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଥିବାବେଳେ ଶୁକ୍ରବାର ରାତିରେ ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଗାଁର ୪ ଜଣଙ୍କୁ ମାଓବାଦୀମାନେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହୃତଙ୍କ ମଧ୍ୟରେ ଜଣେ ଗ୍ରାମରକ୍ଷୀ ଥିବା ସୂଚନା ମିଳିଛି। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ ପୁଲିସ ନିକଟରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗତକାଲି ରାତି ୮.୩୦ରେ ତ୍ରିଲୋଚନପୁର ଗ୍ରାମରେ କିଛି ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ। ସେମାନଙ୍କ ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଥିଲା ଓ ସେମାନେ ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନଙ୍କୁ ଯାଇ ତାଙ୍କୁ ଘରୁ ଡ଼ାକି ଆଣିଥିଲେ। ସେହିପରି ଆଉ କିଛି ମାଓବାଦୀ ବାବୁଲା ନାଏକ, ବିଶିକେସନ ନାଏକ, ରାଜୁ ହରିଜନଙ୍କ ଘର ନିକଟରେ ପହଞ୍ଚି ଡ଼ାକି ଆଣିଥିଲେ। ଘରୁ ଡ଼ାକି ନେବା ପରେ ସେମାନଙ୍କୁ କୁଆଡ଼େ ନିଆଯାଇଛି ତାହାର କିଛି ସୂଚନା ମିଳିନାହିଁ। ଇତି ମଧ୍ୟରେ ୨୦ଘଣ୍ଟା ବିତି ଯାଇଥିଲେ ହେଁ ଅପହୃତ ୪ଜଣଙ୍କ ପରିବାର ସେମାନଙ୍କର ଖୋଜଖବର ପାଇ ନାହାନ୍ତି। ଅନ୍ୟପକ୍ଷରେ ବିିଜେପୁର ଥାନା ଅଧିକାରୀ ବିନୋଦ ରାଓ ଅପହରଣ ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିଲେ ହେଁ କିଏ ଏମାନଙ୍କୁ ଡ଼ାକି ନେଇଛି ସେ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ଫଳରେ ୪ଟି ପରିବାର ଗତ କାଲିଠାରୁ ଆଶା-ଆଶଙ୍କା ମଧ୍ୟରେ ଗତି କରୁଛନ୍ତି। ଏହି ଗାଁଟି କଳାହାଣ୍ଡି ଜିଲା ସୀମାନ୍ତବର୍ତ୍ତୀ ନିୟମଗିରି ପାଦଦେଶରେ ଅବସ୍ଥିତ ଥିବାରୁ ଆମ୍ବୁସ ଭୟରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ।

Leave A Reply