ଅକ୍ଷୟରେ କ୍ଷୟ ; ବାସିରେ ଉଦୟ

0

ନିରଞ୍ଜନ ପଟ୍ଟନାୟକ। ଓଡ଼ିଶାରେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତୃତ୍ୱ। ନବନିୟୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି। ଏହି ପଦରେ ୨୦୧୧ ମସିହାରୁ ମଇ ୨୦୧୩ ପର୍ଯ୍ୟନ୍ତ ସେ ଆଗରୁ ଥିଲେ। ତାଙ୍କୁ ଯେଉଁଦିନ ପିସିସି ପଦରୁ ହଟାଯାଇଥିଲା ସେଦିନ ଥିଲା ଅକ୍ଷୟ ତୃତୀୟା। ପୁଣି ୫ ବର୍ଷ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଉପରେ ପୁଣିଥରେ ଆସ୍ଥା ରଖିଛନ୍ତି। ରାଜ୍ୟ କଂଗ୍ରେସର ସେ ହୋଇଛନ୍ତି ନୂଆ ମୁଖିଆ। ଆଜିର ଦିନଟି ହେଉଛି ଅକ୍ଷୟ ତୃତୀୟାବାସି; ଅର୍ଥାତ୍‍ ଅକ୍ଷୟ ତୃତୀୟାରେ କ୍ଷୟ ଯାଇଥିବା ନିରଞ୍ଜନ ଅକ୍ଷୟତୃତୀୟା ପରଦିନ ହିଁ ପୁଣିଥରେ ପିସିସି ସଭାପତି ପଦ ଅଳଙ୍କୃତ କରିବା ଏକ ସଂଯୋଗ।
ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ। ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି। ସତୁରିପର ଶ୍ରୀ ପଟ୍ଟନାୟକ ୨୦୧୧ରୁ ମଇ ୨୦୧୩ ପର୍ଯ୍ୟନ୍ତ ମଧ୍ୟ ଏହି ପଦଭାର ସମ୍ଭାଳିଥିଲେ। ଜାନକୀ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ସେ ଥିଲେ ଜଣେ ପ୍ରଭାବୀ ମନ୍ତ୍ରୀ। ଶିଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇଥିଲେ। କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଆସନରୁ ଅଷ୍ଟମ, ନବମ, ଏକାଦଶ ଓ ତ୍ରୟୋଦଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରେ ଲଢି ବିଜୟୀ ହୋଇଥିଲେ। ସମବାୟ ଆନ୍ଦୋଳନ ଜରିଆରେ ଦୁର୍ବଳ ଓ ଗରିବ ଲୋକଙ୍କୁ ସମୃଦ୍ଧ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବିଶେଷକରି ପୌରାଞ୍ଚଳର ସହରତଳି ବସ୍ତିରେ ରହୁଥିବା ବାସିନ୍ଦାଙ୍କୁ ଋଣପ୍ରଦାନ ଲାଗି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସେ ସମ୍ପାଦନ କରିଛନ୍ତି। କେନ୍ଦୁଝର ତଥା ରାଜ୍ୟର ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଶିକ୍ଷାନୁଷ୍ଠାନ ସଂଗଠନ ସହ ସେ ସଂପୃକ୍ତ ରହିଛନ୍ତି। ୧୯୯୪ରେ ‘ଇନ୍ଦିରା ଗାନ୍ଧି ଏକତା ପୁରସ୍କାର’ ଓ ୧୯୯୫ରେ ‘ମାନବସେବା ପୁରସ୍କାର’ ଆଦି ସମ୍ମାନରେ ସେ ସମ୍ମାନିତ। ୧୯୭୩-୭୭ ପର୍ଯ୍ୟନ୍ତ କେନ୍ଦୁଝର ପୌରାଧ୍ୟକ୍ଷ, ୬ ବର୍ଷ ଧରି କେନ୍ଦୁଝର ସମବାୟ ବ୍ୟାଙ୍କ ସଭାପତି, ୧୯୭୩ରେ ଡିସିସି ସମ୍ପାଦକ ଆଦି ପଦରେ ସଫଳ କାର୍ଯ୍ୟଭାର ତୁଲାଇଛନ୍ତି।

Leave A Reply