ଚୀନ୍‌ କମ୍ପାନୀ ସହ ଚୁକ୍ତି କଲେ ଶ୍ରୀକାନ୍ତ

0

ନୂଆଦିଲ୍ଲୀ : ଭାରତର ତାରକା ପୁରୁଷ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଚୀନ୍‌ର କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଲି-ନିଙ୍ଗ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି କମ୍ପାନୀର ବିଜ୍ଞାପନ କରିବାକୁ ଶ୍ରୀକାନ୍ତ କମ୍ପାନୀଠାରୁ ୪ ବର୍ଷ ନିମନ୍ତେ ୩୫ କୋଟି ଟଙ୍କା ପାଇବେ। ଏହାବାଦ୍‌ କମ୍ପାନୀ ଶ୍ରୀକାନ୍ତଙ୍କୁ କ୍ରୀଡ଼ା ସାମଗ୍ରୀ ଯୋଗାଇବା ସହ ତାଙ୍କର ଅନ୍ୟତମ ପ୍ରାୟୋଜକ ପାଇଁ ଦାୟିତ୍ବ ନିର୍ବାହ କରିବ। ଲି-ନିଙ୍ଗ କମ୍ପାନୀ କ୍ରୀଡ଼ା ପୋଷାକ, ଜୋତା ପ୍ରସ୍ତୁତକାରୀ ଭାବେ ବେଶ୍‌ ଜଣାଶୁଣା। ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ପ୍ରମୁଖ ଦେଶରେ ଲି-ନିଙ୍ଗ୍‌ର ପାର୍ଟନର ରହିଛି ସନ୍‌ଲାଇଟ୍‌ ସ୍ପୋର୍ଟସ୍‌ ପ୍ରାଇଭେଟ୍ ଲିମିଟେଡ୍।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀକାନ୍ତ କହିଛନ୍ତି ଚୀନ୍‌ର ଏହି ପ୍ରଖ୍ୟାତ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ସହ ଚୁକ୍ତି କରି ସେ ବେଶ୍‌ ଖୁସି ଅଛନ୍ତି। କମ୍ପାନୀ ତରଫରୁ ଯେଉଁସବୁ ସାମଗ୍ରୀ ପ୍ରସ୍ତୁତ କରାଯାଉଛି, ସେଗୁଡ଼ିକ ବେଶ୍‌ ଉଚ୍ଚମାନର ଏବଂ ଏହା ଖେଳାଳିଙ୍କ ଚାହିଦା ପୂରଣ କରିବାକୁ ସକ୍ଷମ। ସେହିପରି ସନ୍‌ଲାଇଟ୍ ସ୍ପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ମହେନ୍ଦ୍ର କାପୁର ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀକାନ୍ତ ବିଶ୍ବର ଜଣେ ନାମକରା ପୁରୁଷ ଖେଳାଳି। କମ୍ପାନୀ ତରଫରୁ ତାଙ୍କ ସହ ଚୁକ୍ତି କରାଯାଇଥିବାରୁ କମ୍ପାନୀର ସାମଗ୍ରୀ ବିକ୍ରି ବୃଦ୍ଧି ପାଇବା ଆଶା କରାଯାଉଛି। ଲି-ନିଙ୍ଗ୍‌ କମ୍ପାନୀ ଚୀନ୍‌, ଇଣ୍ଡୋନେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଆଦି ବ୍ୟାଡମିଣ୍ଟନ ଦଳର ପ୍ରାୟୋଜକ ରହିଛି। ସେହିପରି ୨୦୧୮ ଏସୀୟ କ୍ରୀଡ଼ାରେ ଏହି କମ୍ପାନୀ ଭାରତୀୟ ଦଳର ପ୍ରାୟୋଜକ ଥିଲା। ଶ୍ରୀକାନ୍ତ ନିଜ କ୍ୟାରିୟରରେ ୬ଟି ସୁପର ସିରିଜ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଜିତିବା ସହ ପୁରୁଷ ସିଙ୍ଗଲ୍‌ସରେ ବିଶ୍ବର ୧ନଂ ମାନ୍ୟତା ହାସଲ କରିଥିଲେ। ଚଳିତବର୍ଷର ପ୍ରିମିୟର ବ୍ୟାଡମିଣ୍ଟନ୍‌ ଲିଗ୍‌ରେ ଶ୍ରୀକାନ୍ତଙ୍କ ନେତୃତ୍ବାଧୀନ ବେଙ୍ଗାଲୁରୁ ରାପଟର୍ସ ଦଳ ଫାଇନାଲରେ ମୁମ୍ବଇ ରକେଟର୍ସ ଦଳକୁ ପରାସ୍ତ କରି ଚମ୍ପିଆନ୍‌ ହୋଇଥିଲା।

Leave A Reply