ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର ଅଭିଯୋଗ; ତଦନ୍ତ କରିବ ପ୍ରଶାସନ

0

ପୁରୀ:  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗତ ଓଡିଶା ଗସ୍ତ ସମୟରେ ଶ୍ରୀମନ୍ଦିରରେ ଦୁଇ ସେବାୟତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ମାସରେ ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଭବନରୁ ଆସିଥିବା ପତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ଗତ ୨୪ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗ ଉଠିବା ସହ ଏଯାବତ୍ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ସେନେଇ କିଛି ସଦସ୍ୟ ପ୍ରଶ୍ନ ଉଠାଇଥିଲେ । ଦେଶର ପ୍ରଥମ ମହିଳା ବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେବାୟତଙ୍କୁ ନୋଟିସ ଜାରି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଘଟଣାକୁ ନେଇ ରାଜଭବନରୁ ଶ୍ରୀ ମନ୍ଦିର ପ୍ରଶାସନ ନିକଟକୁ ଆସିଥିବା  ଚିଠିକୁ ଗୁରୁତ୍ଵର ସହ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର କର୍ତ୍ତୃପକ୍ଷ। କେତେକ ସେବାୟତ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଶରୀରରେ ବାରମ୍ବାର ଘସିହୋଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି । ଏଥି ସହିତ ସେବାୟତଙ୍କ ଏଭଳି ଆଭିମୁଖ୍ୟକୁ ଚିଠିରେ ନିନ୍ଦା କରାଯାଇଛି।

ମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ସହିତ ଦାୟିତ୍ଵ ବଣ୍ଟନ କରାଯାଇ ଥିଲା। କେଉଁମାନେ ରାଷ୍ଟ୍ରପତିଙ୍କ ସହ ରହିବେ ତାହା ପୂର୍ବରୁ ଚୂଡାନ୍ତ କରାଯାଇ ଥିଲେ ମଧ୍ୟ କେଉଁ କାରଣରୁ ଅଯଥାରେ ଏତେ ସଂଖ୍ୟକ ସେବାୟତ ଭିଡ଼ କରୁଥିଲେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଅରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲ। ମହାପ୍ରଭୁଙ୍କ ଦର୍ଶନ ବେଳେ କେତେକ ସେବକ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଦେହରେ ଘସି ହୋଇଥିଲେ ବୋଲି ରାଷ୍ଟ୍ରପତି ଭବନ ଅନୁଶାସନ ସଚିବ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖି ଦର୍ଶାଇଥିଲେ । ମାର୍ଚ୍ଚ ୨୦ ତାରିଖରେ ଏନେଇ ଏକ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠନ ହୋଇନଥିଲା।

Leave A Reply