ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ : ରବିବାର ପ୍ରକାଶ ପାଇବ ଫଳାଫଳ

କଲମ୍ବୋ : ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଭୋଟ ଗଣନା ଜାରି ରହିଛି । ରବିବାର ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।

ଶନିବାର ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି । କାଁ ଭାଁ କେତୋଟି ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟଣାକୁ ଛାଡ଼ିଦେଲେ ବହୁ ସଂଖ୍ୟାରେ ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ଅପରାହ୍ଣ ପର୍ଯ୍ୟନ୍ତ ଶତକଡ଼ା ୭୦ଭାଗ ମତଦାନ ହୋଇଥିବା ଜଣା ପଡିଛି। ପୂର୍ବତନ ପ୍ରତିରକ୍ଷା ସଚିବ ଗୋତାବୟ ରାଜପକ୍ଷେ ଏବଂ ମନ୍ତ୍ରୀ ସାଜିତ୍‍
ପ୍ରେମଦାସାୟନ୍‍ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
ଦେଶର ମୋଟ୍‍ ଏକ କୋଟି ୬୦ଲକ୍ଷ ଯୋଗ୍ୟ ମତଦାତା ୩୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି। ଭୋଟ୍‍ ଗ୍ରହଣ ପରେ ଗଣତି ଆରମ୍ଭ ହୋଇଛି ଓ ରବିବାର ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।
ବର୍ତ୍ତମାନର ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା, ମତାଧିକାର ଜନସାଧାରଣଙ୍କର ଗୁରୁଦାୟିତ୍ୱ ଏବଂ ମିଥ୍ୟା ପ୍ରଚାର ଓ ଗୁଜବର ଶିକାର ନ ହେବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ପୁଲିସ୍‍ କହିଛି, ଅନୁରାଧାପୁରା ନିକଟରେ କିଛି ଅଜ୍ଞାତ ବ୍ୟକ୍ତି ରାସ୍ତା ଅବରୋଧ କରିବା ସହିତ ଭୋଟରମାନଙ୍କୁ ନେଇ ଯାଉଥିବା ଏକ ବସ୍‍ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ପୁଲିସ୍‍ ଘଟଣାର ତଦନ୍ତ ଚଳାଇଛି।
ଏହି ନିର୍ବାଚନର ନିୟମ ଅନୁଯାୟୀ ଶତକଡ଼ା ୫୦ଭାଗରୁ ଅଧିକ ବୈଧ ପ୍ରଥମ ପସନ୍ଦ ଭୋଟ୍‍ ହାସଲ କରିଥିବା ପ୍ରାର୍ଥୀକୁ ହିଁ ବିଜୟୀ ଘୋଷିତ କରାଯିବ, ଅନ୍ୟଥା ଦ୍ୱିତୀୟ ପସନ୍ଦର ଗଣତି ଆରମ୍ଭ କରିବାକୁ ପଡ଼ିବ। ଦେଶର ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ନାହାନ୍ତି।

Comments are closed.