ଜନ୍ମାଷ୍ଟମୀରେ କୃଷ୍ଣ ଓ ରାଧାବେଶ ପ୍ରତିଯୋଗିତା

ବଡ଼ସାହି: ବାଣୀପୀଠ ଦ୍ୱାରା ପରିଚାଳିତ ବିବେକାନନ୍ଦ ଆବାସିକ ଶିକ୍ଷା କେନ୍ଦ୍ରରେ ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଓ ରାଧାବେଶ ସହିତ ଆଧ୍ୟାତ୍ମିକ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସକାଳେ ପିଲାମାନେ ରାଧା, କୃଷ୍ଣ, ଦେବକୀ, ନନ୍ଦରାଜା, ବସୁଦେବ, ଯଶୋଦା, କଂସ, ବକାସୁର, ଶକଟାସୁର ଓ ପୁତନା ବେଶ ଧାରଣ କରି ବଜାର ପରିକ୍ରମା କରିଥିଲେ। ଏହା ସହିତ ବାରାହୀ ଦେବୀ, ଶନିଦେବ, ତ୍ରିନାଥ ଦେବ, ହନୁମାନ ଓ ଜଗନ୍ନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ, ରଣଜିତ୍ ମହାନ୍ତି, ଯୋଗେଶ୍ୱର ସାହୁ, ବୀଣାପାଣି ବାରିକ ଓ ବର୍ଷା ଗୁରୁମା’ ପରିଚାଳନା କରିଥିଲେ। ପରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ କୃଷ୍ଣବେଶ ଓ ଆଧ୍ୟାତ୍ମିକ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଫେସର କାଳିକୁମାର ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ନନ୍ଦସୁତ କଳା କହ୍ନେଇ ଯେମିତି କୁସଂସ୍କାର ଓ ଆସୁରିକ ଶକ୍ତିକୁ ବିନାଶ କରିଥିଲେ ଆଜିର ପିଲାମାନେ ମଧ୍ୟ ସେଭଳି କାର୍ଯ୍ୟ କରିପାରିବେ, ସେଥିପାଇଁ ପ୍ରଥମେ ପିତା ମାତା ଓ ଗୁରୁଜୀ ଗୁରୁମା’ଙ୍କୁ ଆନ୍ତରିକତାର ସହିତ ଭକ୍ତି ଓ ତାଙ୍କ କଥା ମାନି ଚଳିବାକୁ ହେବ ବୋଲି କହିଥିଲେ।

ଜନ୍ମାଷ୍ଟମୀର ତାତ୍ପର୍ଯ୍ୟ ସଂପର୍କରେ ସମ୍ମାନୀତ ଅତିଥି ପଣ୍ଡିତ ଅଲେଖ ସାମନ୍ତରାୟ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାକୁ  ଗୁରୁଜୀ ପ୍ରଭଞ୍ଜନ ମହାପାତ୍ର ଓ ସଞ୍ଜିବ କୁମାର କର ପରିଚାଳନା କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ରୀନା ଷଢଙ୍ଗୀ, ରଞ୍ଜନ ଜେନା,ନୀଳକଣ୍ଠ ମହାନ୍ତି ଓ ମାନସ ରଞ୍ଜନ ରଥ ଯୋଗଦାନ କରିଥିଲେ। ସୁଶ୍ରୀହରପ୍ରୀୟା ସିଂ, ବର୍ଷାପ୍ରୀୟଦର୍ଶନୀ ପ୍ରଧାନ ଓ ଜଲି ସିଂ ଆଦି କୃଷ୍ଣବନ୍ଦନା ଗାନ କରିଥିଲେ। କୃଷ୍ଣ ବେଶ ପ୍ରତିଯୋଗିତାରେ ପ୍ରଥମ ତନୁଷ ସେନାପତି, ଦ୍ୱିତୀୟ ଯୁଗ୍ମ ଭାବେ ଶୁଭଙ୍କର ବାରିକ ଓ ବାସୁଦେବ ପାଣଗ୍ରାହୀ ତଥା ତୃତୀୟ ଆଦିତ୍ୟ ମହାରଣା ଏବଂ ଆଧ୍ୟାତ୍ମିକ ସାଧାରଣଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସୁଶାନ୍ତି ବିନ୍ଧାଣୀ, ଦ୍ୱିତୀୟ ତନୁଶ୍ରୀ ବେହେରା ଓ ତୃତୀୟ ସ୍ଥାନ ନବଜ୍ୟୋତି ସାହୁ ତଥା  ରାଧିକା ବେଶ ପ୍ରତିଯୋଗିତାରେ ପ୍ରଥମ ଶ୍ୱେତପଦ୍ମା ସ୍ୱାଇଁ, ଦ୍ୱିତୀୟ ଯୁଗ୍ମ ଭାବେ ଶୁଭଲିପ୍ସା ମହାପାତ୍ର ତଥା ପଲ୍ଲବୀ ପ୍ରିୟଦର୍ଶନୀ ନାଏକ ଓ ତୃତୀୟ ଲକ୍ଷ୍ମୀପ୍ରିୟା ସିଂଙ୍କୁ ପୁରସ୍କୃତ କରାଯାଇଥିଲା। ପୁତନା ବେଶରେ ଅଭିନୟ କରିଥିବା ଦିବ୍ୟରଞ୍ଜନ ପରିଡାଙ୍କୁ ମୁଖ୍ୟଅତିଥି ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଡା. କୁମାର ବାବୁଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.