ବିସିସିଆଇ ଉପରେ ନିର୍ଭର କରୁଛି ଭାରତ-ପାକ୍‍ ସିରିଜ୍‍ : ନଜମ୍‍

0

କଲକାତା :  ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ ଆୟୋଜନ ବିସିସିଆଇ ଉପରେ ନିର୍ଭରଶୀଳ ବୋଲି ମତ ଦେଇଛନ୍ତି ପାକିସ୍ତାନ କ୍ରିକେଟ୍‍ ବୋର୍ଡ(ପିସିବି) ଅଧ୍ୟକ୍ଷ ନଜମ୍‍ ସେଠି। ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ ନାଜାମ୍‍ କହିଥିଲେ ଦୁଇ ପଡୋଶୀ ମଧ୍ୟରେ କ୍ରିକେଟ୍‍ ସିରିଜ୍‍ ଆୟୋଜନ ପାଇଁ ପିସିବି ଆଶା ରଖିଛି। ତେବେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ଉପରେ ନିର୍ଭରଶୀଳ।
ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍‍ ମ୍ୟାଚ୍‍ ଦେଖିବାକୁ ଉଭୟ ଦେଶର କ୍ରିକେଟ୍‍ପ୍ରେମୀ ଅନାଇ ବସିଥିବା ବେଳେ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯିବା ଆଦୌ ଉଚିତ୍‍ ନୁହେଁ ବୋଲି ନଜମ୍‍ ସ୍ପଷ୍ଟ କରି ଦେଇଛନ୍ତି। ବିସିସିଆଇ ଉଭୟ ଦେଶ କ୍ରିକେଟ୍‍ପ୍ରେମୀଙ୍କ ମନୋଭାବକୁ ବୁଝି କ୍ରିକେଟ୍‍ ସିରିଜ୍‍ ଆୟୋଜନ ପାଇଁ ଉଦ୍ୟମ ଆରମ୍ଭ କରିବ ବୋଲି ନାଜାମ୍‍ ଆଶାବ୍ୟକ୍ତ କରିଛନ୍ତି। ସୂଚନାଥାଉକି ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ ଆୟୋଜନ ପାଇଁ ଉଭୟ କ୍ରିକେଟ୍‍ ବୋର୍ଡ ମଧ୍ୟରେ ୨୦୧୪ରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ୨୦୧୫ରୁ ୨୦୨୩ ମଧ୍ୟରେ ଉଭୟ ଦେଶ ମଧ୍ୟରେ ୬ଟି ଦ୍ୱିପାକ୍ଷିକ ସିରିଜ୍‍ ଆୟୋଜନ ନେଇ ଯୋଜନା ଥିଲା। ତେବେ ଦ୍ୱିପାକ୍ଷିକ ସିରିଜ୍‍ ଆୟୋଜନ ପାଇଁ ବିସିସିଆଇ ଟାଳଟୁଳ ନୀତି ଆପଣାଉଥିବାରୁ କ୍ଷୁବ୍ଧ ପିସିବି କ୍ଷତିପୂରଣ ବାବଦରେ ୭୦ ନିୟୁତ ଡଲାର ଦାବି କରି ଆଇସିସିର ଦ୍ୱାରସ୍ଥ ହୋଇଛି। ଏହି ବିବାଦର ଫଇସଲା ପାଇଁ ଆଇସିସି ୩ଜଣିଆ କମିଟି ଗଠନ କରିଛି। କମିଟି ଆସନ୍ତା ଅକ୍ଟୋବରରେ ମାମଲାର ଶୁଣାଣି କରିବ। ଏ ସଂପର୍କରେ ପ୍ରଶ୍ନ ହେବାରୁ ନଜମ୍‍ କହିଥିଲେ ମାମଲାର ବିଚାର ପାଇଁ ଆଇସିସି କମିଟି ଗଠନ କରିଥିବାରୁ ଏ ସଂପର୍କରେ ମତ ଦେବା ତାଙ୍କ ପକ୍ଷରେ ଅନୁଚିତ୍‍।
ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ ଆୟୋଜନ ପାଇଁ ଭାରତୀୟ ଗଣମାଧ୍ୟମ ବିସିସିଆଇ ଉପରେ କୌଣସି ପ୍ରକାର ଚାପ ପ୍ରୟୋଗ ନ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ନଜମ୍‍ ମତ ଦେଇଛନ୍ତି। କ୍ରିକେଟ୍‍ପ୍ରେମୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ଯଥାଶୀଘ୍ର ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ ଆୟୋଜିତ ହେଲେ ଭଲ ହେବ ବୋଲି ସେଟ୍ଟି ସ୍ପଷ୍ଟ କରି ଦେଇଛନ୍ତି।
ପାକିସ୍ତାନ ସୁପର ଲିଗ୍‍ (ପିଏସ୍‍ଏଲ) ସଂପର୍କରେ ମତ ଦେଇ ନାଜାମ୍‍ କହିଥିଲେ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍‍ ଲୋକପ୍ରିୟ ହୋଇଛି। ଚଳିତବର୍ଷ ଏମର୍ଜିଂ ଟିମ୍‍ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ କରାଯିବାକୁ ଉଦ୍ୟମ ହେଉଛି ବୋଲି ନଜମ୍‍ ସୂଚନା ଦେଇଛନ୍ତି। ଆଇସିସି ବୈଠକରେ କ୍ରିକେଟ୍‍ରୁ ଦୁର୍ନୀତି ହଟାଇବାକୁ ନେଇ ଜୋରଦାର ଆଲୋଚନା ହୋଇଥିବା ବେଳେ ପିସିବି ଏହାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି ବୋଲି ନଜମ୍‍ କହିଛନ୍ତି।

Leave A Reply