ଜାତୀୟ ସିନିୟର ତୀରନ୍ଦାଜୀ: ରିକର୍ଭରେ ବୋମ୍ବୟଲା,ସୁଖମଣିଙ୍କୁ ସ୍ବର୍ଣ୍ଣ

0

କଟକ: ଭାରତୀୟ ତୀରନ୍ଦାଜୀ ମହାସଂଘ ଏବଂ ଓଡ଼ିଶା ତୀରନ୍ଦାଜୀ ସଂଘ ଆନୁକୂଲ୍ୟ​ରେ ଚାଲିଥିବା ୩୯ତମ ସିନିୟର ତୀରନ୍ଦାଜୀ ପ୍ରତିଯୋଗିତାର ରିକର୍ଭ ଇଭେଣ୍ଟ ସମାପ୍ତ ହୋଇଛି। ଏହି ୨ ଦିିନିଆ ରିକର୍ଭ ଇଭେଣ୍ଟରେ ଆନ୍ତର୍ଜାତିକ ତୀରନ୍ଦାଜ ଏଲ୍‌. ବୋମ୍ବୟଲା ଦେବୀ ଓ ସୁଖମଣି ବାବ୍ରେକର ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ତେବେ ମହିଳା ବିଭାଗରେ ପୂର୍ବତନ ବିଶ୍ବ ଚମ୍ପିଆନ୍ ତଥା ଅଲିମ୍ପିଆନ୍ ଦୀପିକା କୁମାରୀ ନିରାଶ ହୋଇଛନ୍ତି ଏବଂ ତାଙ୍କୁ କୌଣସି ପଦକ ମିଳିନାହିଁ।
ବାରବାଟୀ ଷ୍ଟାଡ଼ିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ରିକର୍ଭ ବ୍ୟକ୍ତିଗତ ମହିଳା ଇଭେଣ୍ଟରେ ରେଳବାଇର ଏଲ୍‌. ବୋମ୍ବୟଲା ଦେବୀ ସର୍ବାଧିକ ୬୪୨ ପଏଣ୍ଟ ସହ ସ୍ବର୍ଣ୍ଣପଦକ ପାଇଥିଲେ। ଏହି ଇଭେଣ୍ଟରେ ଝାଡ଼ଖଣ୍ଡର ଅଙ୍କିତା ଭାକତ ୬୩୯ ପଏଣ୍ଟ ସହ ୨ୟ ସ୍ଥାନରେ ରହି ରୌପ୍ୟ ଏବଂ ହରିୟାଣାର ପ୍ରୀତି ୬୨୮ ପଏଣ୍ଟ ସହ ବ୍ରୋଞ୍ଜ୍ ପଦକ ପାଇଥିଲେ। ରିକର୍ଭ ପୁରୁଷ ବିଭାଗରେ ପ୍ରଥମ ୩ଟି ସ୍ଥାନ ପାଇଁ କଡ଼ା ମୁକାବିଲା ହୋଇଥିଲା। ଏଥିରେ ମହାରାଷ୍ଟ୍ରର ସୁଖମଣି ବାବ୍ରେକର ସ୍ବର୍ଣ୍ଣପଦକ ଜିତିଛନ୍ତି। ସୁଖମଣି ୬୫୫ ପଏଣ୍ଟ ସହ ସର୍ବାଗ୍ରେ ଥିବା ବେଳେ ସର୍ଭିସେସ୍‌ର ପ୍ରବୀଣ ଯାଦବ ୬୫୩ ପଏଣ୍ଟ ସହ ୨ୟ ସ୍ଥାନରେ ରହି ରୌପ୍ୟ ଏବଂ ଅଲିମ୍ପିଆନ୍ ସର୍ଭିସେସ୍‌ର ତରୁଣଦୀପ ରାୟ ୬୫୩ ପଏଣ୍ଟ ସହ ବ୍ରୋଞ୍ଜ୍‌ପଦକ ଜିତିଛନ୍ତି। ରିକର୍ଭ ମହିଳା ଅଲିମ୍ପିକ୍ ରାଉଣ୍ଡ ଇଭେଣ୍ଟରେ ଝାଡ଼ଖଣ୍ଡର ଅଙ୍କିତା ଭାକତ ନାମୀ ତୀରନ୍ଦାଜ ଏଲ୍‌. ବୋମ୍ବୟଲା ଦେବୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ତାଙ୍କ ପଛକୁ ହରିୟାଣାର ଋଦ୍ଧି ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଥିବା ବେଳେ ବୋମ୍ବୟଲା ଦେବୀ ବ୍ରୋଞ୍ଜ୍ ପଦକ ପାଇଛନ୍ତି। ରିକର୍ଭ ପୁରୁଷ ବ୍ୟକ୍ତିଗତ ଅଲିମ୍ପିକ୍ ରାଉଣ୍ଡ ମୁକାବିଲାରେ ସର୍ଭିସେସ୍‌ର ପ୍ରବୀଣ ଯାଦବ ସ୍ବର୍ଣ୍ଣପଦକ ଜିତିଛନ୍ତି। ମହାରାଷ୍ଟ୍ରର ସତ୍ୟମ୍ ପାଟିଲ ରୌପ୍ୟ ଓ ପିଏସ୍‌ପିବିର ଅଲମ୍ପିଆନ୍ ଅତନୁ ଦାସ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।
ରିକର୍ଭ ପୁରୁଷ ଦଳଗତ ପ୍ରତିଯୋଗିତାରେ ଆସାମ ସ୍ବର୍ଣ୍ଣପଦକ ଜିତିପାରିଛି। ସଞ୍ଜୟ ବୋରୋ, ଧନିରାମ ବସୁମାତାରି, ମୁକେଶ ବେରୋ ଓ ପ୍ରଡକ୍‌ସନ୍ ବର୍ଗୋୟାରିଙ୍କୁ ନେଇ ଗଠିତ ଆସାମ ଦଳ ୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲା। ସର୍ଭିସେସ୍ ଦଳ ରୌପ୍ୟପଦକ ପାଇଥିବା ବେଳେ ଏଆଇପିଏସ୍‌ସିବି ଦଳ ବ୍ରୋଞ୍ଜ୍‌ପଦକ ପାଇଛି। ରିକର୍ଭ ମହିଳା ଦଳଗତ ଇଭେଣ୍ଟରେ ଶକ୍ତିଶାଳୀ ଝାଡ଼ଖଣ୍ଡକୁ ପଛରେ ପକାଇ ହରିୟାଣା ସ୍ବର୍ଣ୍ଣପଦକ ଜିତିପାରିଛି।

Leave A Reply