ପ୍ରଦୂଷଣ ବୋର୍ଡକୁ ଆୟକର ବିଭାଗ ଛାଟ ; ବ୍ୟାଙ୍କଖାତା ଚାଲୁ ପାଇଁ ୧୦କୋଟି ଜୋରିମାନା ପଇଠ

0

ଭୁବନେଶ୍ୱର : ଉତ୍ସରୁ ଟିକସ ବାଦ୍(ଟିଡିଏସ) ବାବଦକୁ ସଠିକ ପଇଠ ହୋଇ ନଥିବା ​‌ହେତୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆୟକର ଝଟକା ଲାଗିଛି। ୨୦୧୪-୧୫ ବର୍ଷରେ ବୋର୍ଡ ପକ୍ଷରୁ ଟିଡିଏସ ଠିକଣା ଭାବେ ଆୟକର ବିଭାଗ ନିକଟରେ ପଇଠ କରାଯାଇ ନଥିବାରୁ ବୋର୍ଡର ବ୍ୟାଙ୍କ ଆକାଉଣ୍ଟକୁ ସାମୟିକ ଭାବେ ଆୟକର ବିଭାଗ ଅଚଳ କରିଥିଲା। ଚଳିତମାସ ୧୮ତାରିଖରେ ପ୍ରଦୂଷଣ ବୋର୍ଡ ଆୟକର ବିଭାଗଠାରେ ଦେୟ ବାବଦକୁ ୧୦କୋଟି ଟଙ୍କା ଜମା ପଇଠ କରିଛି। ବୋର୍ଡର ବ୍ୟାଙ୍କ ଆକାଉଣ୍ଟ କିଭଳି ନିୟମିତ ଚାଲୁ ରହିବ ସେନେଇ ବୋର୍ଡର ପ୍ରଶାସନିକ ଅଧିକାରୀ ଉମେଶ ଚନ୍ଦ୍ର ପାଣି ଆୟକର ବିଭାଗକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକାଉଣ୍ଟ ଠିକଣା ଭାବେ ସମୀକ୍ଷା କରାଯାଉନାହିଁ। କେଉଁ ବର୍ଷ କେଉଁ ଉତ୍ସରୁ କେତେ ଟଙ୍କା ବୋର୍ଡକୁ ଆସୁଛି ଏବଂ କେତେ ଟଙ୍କା କେଉଁ ଖର୍ଚ୍ଚ ବାବଦରେ ଯାଉଛି ତାହାର ହିସାବକିତାବ ରହୁ ନଥିବାନେଇ ବୋର୍ଡର ଜନୈକ ପଦାଧିକାରୀ କହିଛନ୍ତି। ଏହିଭଳି ଭାବେ ବୋର୍ଡର ଆର୍ଥିକ ବ୍ୟତିକ୍ରମକୁ ନେଇ ୨୦୧୮ ମାର୍ଚ୍ଚରେ ବୋର୍ଡ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିବା ସହିତ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ତେବେ କେତେକ କ୍ଷେତ୍ରରେ ବୋର୍ଡ ଅଧ୍ୟକ୍ଷ ବୋର୍ଡର ବିନା ଅନୁମତିରେ ଆର୍ଥିକ କାରବାର କରୁଥିବା ନେଇ ଅଭିଯୋଗ ହୋଇଛି। ଯାହାଫଳରେ ବୋର୍ଡରେ ଆର୍ଥିକ ବିଶୃଙ୍ଖଳା ବଢ଼ି ଚାଲିଛି ବୋଲି ବୋର୍ଡର ଉକ୍ତ ଅଧିକାରୀ ଅଭିଯୋଗ କରିଛନ୍ତି।
ବୋର୍ଡ ପ୍ରତିଷ୍ଠା ହେବା ପରେ ୧୯୯୪ରୁ ୨୦୧୧ ମଧ୍ୟରେ ହୋଇଥିବା ଆର୍ଥିକ କାରବାର ନେଇ କୌଣସି ସମୀକ୍ଷା କରାଯାଇ ନଥିବାବେଳେ ପରବର୍ତ୍ତୀ ୫ବର୍ଷର ହିସାବ ମଧ୍ୟ ରଖାଯାଇନାହିଁ। ଯାହାଫଳରେ ବୋର୍ଡକୁ ଆୟକର ବିଭାଗ ପକ୍ଷରୁ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକବର୍ଷ ପାଇଁ ୫୪.୪୫କୋଟି ଟଙ୍କାର ଜୋରିମାନା ଦାବି କରାଯାଇଥିଲା। ମାତ୍ର ବୋର୍ଡ କର୍ତ୍ତୃପକ୍ଷ ଏହି ଆର୍ଥିକ କାରବାରକୁ ଆଉଥରେ ସମୀକ୍ଷା କରିବାପାଇଁ ଆୟକର ଅପିଲ ପ୍ରାଧୀକରଣ(ଆଇଟିଏଟି)ଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ସାଢ଼େ ୧୦କୋଟି ଟଙ୍କା ଅଗ୍ରିମ ବାବଦକୁ ଜମା କରିଥିଲେ। ହେଲେ ଏହି ଆର୍ଥିକ ବିଶୃଙ୍ଖଳା ପାଇଁ କେଉଁ ଅଧିକାରୀ ଦାୟୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ୧୧୫ତମ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ୨୦୧୫-୧୬ ଆର୍ଥିକ ବର୍ଷରେ ବୋର୍ଡର ଆୟ ଦ୍ୱିଗୁଣ ବଢ଼ିଛି। ଉକ୍ତ ଆର୍ଥିକବର୍ଷ ବୋର୍ଡ ପକ୍ଷରୁ ୫୪.୧୦କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖାଯାଇଥିବାବେଳେ ବିଭିନ୍ନ ଉତ୍ସରୁ ୧୦୪.୬୭କୋଟି ଟଙ୍କା ମିଳିଛି। ତେବେ ଦିନକୁ ଦିନ ବୋର୍ଡରେ ଆୟ ବୃଦ୍ଧି ହେଉଥିବାବେଳେ ଏହାର ଟିଡ଼ିଏସ ଓ ପରିଚାଳନା ଠିକ୍‍ ହେଉ ନଥିବା ଯୋଗୁଁ ବୋର୍ଡ ପାଇଁ ଏବେ ସମସ୍ୟାର କାରଣ ପାଲଟିଛି।

Leave A Reply