ମରୁଡି ପାଇଁ ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ବିନିକା: ବିନିକା ତହସିଲ ଅନ୍ତର୍ଗତ ଚୁଲିମାଲ ଗ୍ରାମରେ ଜଣେ ଚାଷୀ ପାଣି ଅଭାବରୁ ଧାନ ମରୁଡିକୁ ନେଇ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ପ୍ରକାଶ ଥାଉକି କେନାଲ ପାଣି ଅପହଞ୍ଚ ଯୋଗୁଁ ଉକ୍ତ ଗ୍ରାମର ଚାଷୀ ମହାଦେବ ଭୋଇ ଉଠାଜଳସେଚନକୁ ଅଶ୍ରା କରି ଚାଷ କରିଆସୁଥିଲେ। କିନ୍ତୁ ବିଦ୍ୟୁତର ସମସ୍ୟା ଯୋଗୁଁ ପମ୍ପ ଚଳିପାରୁନଥିଲା। ଫଳରେ କିଛି ଦିନ ହେଲା ଚାଷ ଜମିର ମାଟି ଫାଟି ଧାନ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଦେଖି ଚାଷୀ ଜଣକ ଆଜି ନିରୁପାୟ ହୋଇ ଶେଷରେ ଜମିକୁ ଯାଇ ମରୁଡି ଧାନରେ ନିଆଁ ଲଗାଇବାକୁ ବାଧ୍ୟ ହେଲେ। ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜଣାଇ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗୋଟିଏ ପଟେ ଧାନ ମରୁଡି ପରିସ୍ଥିତି ଓ ଅନ୍ୟପଟେ ରୋଗପୋକ ଦମନ ପାଇଁ ଆବଶ୍ୟକୀୟ ଔଷଧ କିଣା ଖର୍ଚ୍ଚକୁ ନେଇ ମଧ୍ୟ ଚାଷୀ ଜଣକ ଦୁର୍ଦ୍ଦଶା ଭୋଗି ଆସୁଥିଲେ। ତେଣୁ କରି ଚାଷୀ ଜଣକ ତାର ସୁନାର ଫସଲକୁ ନିଆଁ ଲଗାଇ ଜାଳି ଦେବାକୁ ବାଧ୍ୟ ହୋଇଛି। ଏ ସମ୍ପର୍କରେ ବିନିକା ଅତିରିକ୍ତ ତହସିଲଦାର ରାକେଶ ଅଗ୍ରୱାଲଙ୍କୁ ପଚାରିବାରୁ ସମସ୍ୟା ସମ୍ପର୍କରେ ସେ ପ୍ରତିକ୍ରିୟା ଦେଇଛନ୍ତି ଯେ, ଧାନ ପୋଡିବା ନେଇ ଆମ ପାଖରେ ଖବର ନାହିଁ। ଯଦି ଉକ୍ତ ଚାଷୀ ଅଭିଯୋଗ କରିଛନ୍ତି ତାହେଲେ ତାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.