‘ଭବିଷ୍ୟତରେ ଗାନ୍ଧି ପରିବାର ଭିନ୍ନ କେହି କଂଗ୍ରେସର ନେତୃତ୍ୱ ନେବେ’

0

ମୁମ୍ବଇ : ଭବିଷ୍ୟତରେ ଗାନ୍ଧି-ନେହେରୁ ପରିବାରର ଭିନ୍ନ କୌଣସି ନେତା କଂଗ୍ରେସର ନେତୃତ୍ୱ ନେବେ ବୋଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ଯେ ୨୦୦୪ରେ କଂଗ୍ରେସ ନେତୃତ୍ୱ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) କ୍ଷମତାକୁ ଆସିବା ପରେ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। କାରଣ ପ୍ରଧାନମନ୍ତ୍ରୀ ପଦ ପାଇଁ ମନମୋହନ ସିଂହ ସବୁଠାରୁ ଭଲ ପ୍ରାର୍ଥୀ ଥିଲେ। ସେହିପରି ଗାନ୍ଧି ପରିବାର ବାହାର କୌଣସି ନେତା ମଧ୍ୟ କଂଗ୍ରେସର ନେତୃତ୍ୱ ନେବାରେ କୌଣସି ଅସୁବିଧା ନାହିଁ। ଇଣ୍ଡିଆ ଟୁଡେ କନକ୍ଲେଭରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରେ ସୋନିଆ ଏହା କହିଛନ୍ତି। ଗାନ୍ଧି ପରିବାର ବିନା କଂଗ୍ରେସ ତିଷ୍ଠି ରହିପାରିବ କି ପ୍ରଶ୍ନର ଉତ୍ତରରେ ସୋନିଆ କହିଥିଲେ ଯେ ଏହାର ଉତ୍ତର କଂଗ୍ରେସ କର୍ମୀମାନେ ଦେଇପାରିବେ। ସୋନିଆ କହିଛନ୍ତି ଗାନ୍ଧି ପରିବାରର ସଦସ୍ୟ କଂଗ୍ରେସର ନେତୃତ୍ୱ ନେଇ ଆସୁଛନ୍ତି ସତ; ମାତ୍ର କଂଗ୍ରେସ ଏହାର ନେତାଙ୍କୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରିଥାଏ। କେବଳ କଂଗ୍ରେସ ନୁହେଁ ଆମେରିକାର ବୁଶ୍‌ ଓ କ୍ଲିଣ୍ଟନ ପରିବାରରେ ମଧ୍ୟ ବଂଶାନୁକ୍ରମିକ ରାଜନୀତି ଚାଲିଛି। ଭାରତର ଅନେକ ରାଜ୍ୟର ଆଞ୍ଚଳିକ ଦଳଗୁଡିକରେ ବଂଶାନୁକ୍ରମିକ ରାଜନୀତି ଚାଲିଛି। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ସେ କ୍ଷମତା କେନ୍ଦ୍ର ଥିଲେ ବୋଲି ବିଭିନ୍ନ ମହଲରେ ହେଉଥିବା ଅଭିଯୋଗକୁ ସୋନିଆ ଖଣ୍ଡନ କରିଛନ୍ତି।
ଏହି ଅବସରରେ ସୋନିଆ କହିଛନ୍ତି ଯେ ବିଜେପିର ‘ଅଚ୍ଛେ ଦିନ’ ସ୍ଲୋଗାନ ଏହାର ପତନର କାରଣ ହେବ। ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ‘ଇଣ୍ଡିଆ ସାଇନିଂ’ର ସ୍ଲୋଗାନ ଦେଇଥିଲେ। ଏହି ଇଣ୍ଡିଆ ସାଇନିଂ ସ୍ଲୋଗାନ ବାଜପେୟୀ ସରକାରର ପତନର କାରଣ ହୋଇଥିଲା। ସେହିପରି ଅଚ୍ଛେ ଦିନ ସ୍ଲୋଗାନ ନରେନ୍ଦ୍ର ମୋଦିଙ୍କ ସରକାର ପତନର କାରଣ ହେବ ଓ ୨୦୧୯ ଲୋକସଭା ନିର୍ବାଚନରେ ୟୁପିଏ କ୍ଷମତାକୁ ଫେରିବ। ୨୦୧୪ ନିର୍ବାଚନରେ ବିଜେପି ଯେଉଁସବୁ ବଡ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାରେ ବିଫଳ ହୋଇଛି। ବିଦେଶରୁ କଳାଧନ ଫେରାଇ ଆଣି ସମସ୍ତଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହିଥିଲା। ଏହି ଅର୍ଥ ଏବେ ସୁଦ୍ଧା କେହି ପାଇନାହାନ୍ତି।

Leave A Reply