ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ମନୋନୀତ

ନୂଆଦିଲ୍ଲୀ : ଗାନ୍ଧୀ-ନେହରୁ ପାରିବାରିକ ବଳୟରୁ ଉତୁରି ପାରୁନି କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ମନୋନୟନ ପାଇଁ ଶନିବାର ବସିଥିବା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି)ର ବୈଠକରୁ କୌଣସି ନିଷ୍କର୍ଷ ବାହାରି ନ ପାରିବାରୁ ପୂର୍ବତନ ସଭାପତି ତଥା ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସଭାପତି ମନୋନୟନ ପ୍ରକ୍ରିୟାରୁ ଦୂରେଇ ରହିବା ପାଇଁ ସେ ଓ ରାହୁଲ ଘୋଷଣା କରିବା ପରେ ଦିନତମାମ କମିଟି ବୈଠକରେ ଅଚଳାବସ୍ଥା ଲାଗି ରହିଥିଲା। ଶେଷରେ ବିଳମ୍ବିତ ରାତିରେ ସୋନିଆଙ୍କୁ ଏହି ପଦଭାର ଅର୍ପଣ କରାଯାଇଥିଲା।
ଶନିବାର ପୂର୍ବାହ୍ଣ ୧୧ଟାରେ ସିଡବ୍ଲୁସି ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ଦଳର ସମସ୍ତ ରାଜ୍ୟ ଶାଖା ସଭାପତି ଓ ବିଧାୟକଦଳ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ସଭାପତି ପଦରେ ଅବ୍ୟାହତ ରଖିବା ପାଇଁ ଉପସ୍ଥିତ ସଦସ୍ୟମାନେ ପୂର୍ବବତ୍‌ ଦାବି କରିଥିଲେ। ବିଭିନ୍ନ ସବ୍‌-କମିଟିର କର୍ମକର୍ତ୍ତାମାନେ ରାହୁଲଙ୍କୁ ଅଧ୍ୟକ୍ଷ ପଦରେ ରହିବା ପାଇଁ ନିବେଦନ କରିଥିଲେ। ପୂର୍ବାଞ୍ଚଳ କମିଟି ସୋନିଆ ଓ ପଶ୍ଚିମାଞ୍ଚଳ କମିଟି ରାହୁଲଙ୍କ ନାମ ଅଧ୍ୟକ୍ଷ ପଦ ପାଇଁ ଉପସ୍ଥାପନ କରିଥିଲେ। ବୈଠକ ଆରମ୍ଭରୁ ରାହୁଲ ଓ ସୋନିଆ ଅଧ୍ୟକ୍ଷ ମନୋନୟନ ପ୍ରକ୍ରିୟାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ବୈଠକରୁ ଚାଲିଯାଇଥିଲେ। ନୂଆ ଅଧ୍ୟକ୍ଷ ବାଛିବା ପ୍ରକ୍ରିୟାକୁ ସ୍ବଚ୍ଛ କରିବା ସହ ନିଜସ୍ବ ପ୍ରଭାବଶୂନ୍ୟ କରିବା ଲକ୍ଷ୍ୟରେ ନି​‌େ​‌ଜ ଓ ରାହୁଲ ବୈଠକରୁ ଦୂରେଇ ଯାଉଥିବା ସୋନିଆ କହିଥିଲେ। କିଛି ସଦସ୍ୟ ଅଯଥାରେ ରାହୁଲ ଓ ତାଙ୍କ ନାମ ଉତ୍ଥାପନ କରୁଥିବା ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହି ଘଟଣା ପରେ ସଦସ୍ୟମାନେ କାହାକୁ ଅଧ୍ୟକ୍ଷ କରାଯିବ ସେ ନେଇ ତୁହାକୁ ତୁହା ଆଲୋଚନା କରିଥିଲେ। ଅନେକ ବରିଷ୍ଠ ନେତା ମୁକୁଲ ୱାସନିକଙ୍କ ନାମ ନେଉଥିଲାବେଳେ କେହି କେହି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ନେଉଥିଲେ; ତେବେ ରାହୁଲଙ୍କ ନାମ ଉପରେ ଅଧିକାଂଶ ଅଟଳ ରହିଥିବା ଲେକ୍ଷ୍ୟ କରାଯାଇଥିଲା। ମଧ୍ୟାହ୍ନ ସୁଦ୍ଧା କୌଣସି ନାମ ଚୂଡ଼ାନ୍ତ ହୋଇ ନ ପାରିବାରୁ ରାତି ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରହିଥିଲା। ରାତି ୯ଟାରେ ପୁନର୍ବାର ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସୋନିଆ ଓ ରାହୁଲ ଉପସ୍ଥିତ ଥିଲେ। ଅଚଳାବସ୍ଥା ଦୂର କରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ଅବ୍ୟାହତ ରହିଥିଲା। ରାତି ପ୍ରାୟ ୧୧ଟା ସମୟରେ ସର୍ବସମ୍ମତିକ୍ରମେ ସୋନିଆଙ୍କ ନାମ ଉପରେ ମୋହର ଲାଗିଥିଲା। ଏ ସମ୍ପର୍କରେ ବରିଷ୍ଠ ନେତା ଗୁଲାମନବି ଆଜାଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ବୈଠକ ସମ୍ପର୍କରେ ବିସ୍ତୃତ ବିବାରଣୀ ଦେଇ ପି.ଏଲ ପୁନିଆ କହିଥିଲେ ଯେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଦଳର ସାଂଗଠନିକ ନିର୍ବାଚନ ପରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ମନୋନୟନ କରାଯିବ। ଅନ୍ୟତମ ନେତା ହରିଶ ରାୱତ କହିଥିଲେ ଯେ ରାହୁଲଙ୍କ ଇସ୍ତଫା ପରେ ସିଡବ୍ଲ୍ୟୁସିର ସମସ୍ତ ସଦସ୍ୟ ସୋନିଆଙ୍କୁ ଦଳର ନେତୃତ୍ବ ଭାର ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏହି ବୈଠକରେ ରାହୁଲଙ୍କ ଇସ୍ତଫାପତ୍ର ଗୃହୀତ ହୋଇଥିବା ସୂଚନା ଦେଇଥିଲେ ମୁଖପାତ୍ର ରଣଦୀପ ସ​‌େ​‌ର୍ଯ୍ୟୱାଲା ଓ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ। ବୈଠକରେ ତିନିଟି ପ୍ରସ୍ତାବ ଗୃହୀତ ହୋଇଥିବା ସେ କହିଥିଲେ। ସେଥିମଧ୍ୟରେ ଜାମ୍ମୁ-କାଶ୍ମୀର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାକୁ ରାହୁଲଙ୍କ ପ୍ରସ୍ତାବ ଗୁରୁତ୍ବ ବହନ କରିଥିଲା। ବୈଠକ ଆରମ୍ଭରେ ଦିବଂଗତ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Comments are closed.