ସୌର ଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କଲେ ମୋଦି ଓ ମାକ୍ରୋନ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରୋନ ମିଳିତ ଭାବେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲା ଅନ୍ତର୍ଗତ ଛାନଭୋ ବ୍ଲକ୍‌ରେ ସୋମବାର ସର୍ବବୃହତ୍‌ ସୌର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଉପଲକ୍ଷେ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଗିଟ୍ଟ ଦାଦର କାଲାନ ବିମାନ ଅବତରଣ ସ୍ଥଳରେ ପହଞ୍ଚିବା ପରେ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ସ୍ୱାଗତ କରିଥିଲେ। ପରେ ମୋଦି ଓ ମାକ୍ରୋନ ମିଳିତ ଭାବେ ସୋଲାର ପ୍ୟାନେଲର ବଟନ୍‌ ଦବାଇ ୭୫ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପକୁ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଦାଦର କଲ୍ୟାଣ ଗ୍ରାମଠାରେ ଏହି ପ୍ରକଳ୍ପକୁ ଫ୍ରାନ୍ସର ‘ଇଏନ୍‌ଜିଆଇଇ’ ୫୦୦ କୋଟି ଟଙ୍କା ବିନିମୟରେ ନିର୍ମାଣ କରିଛି। ୩୮୦ ଏକର ଜମିରେ ୧,୧୮,୬୦୦ ଟି ସୌର ପ୍ୟାନେଲ୍‌ ପ୍ରତିଷ୍ଠା କରାଯାଇଛି। ଏଠାରୁ ମାସିକ ୧.୩୦ କୋଟି ୟୁନିଟ ହିସାବରେ ବାର୍ଷିକ ୧୫.୬ କୋଟି ୟୁନିଟ୍‌ ବିଦ୍ୟୁତ୍‌ ଏହି ପ୍ରକଳ୍ପରୁ ଉତ୍ପାଦନ ହେବ। ଏହି ବିଦ୍ୟୁତଶକ୍ତି ଉତ୍ତରପ୍ରଦେଶ ପାୱାର କର୍ପୋରେସନ ରେଞ୍ଜ ଅନ୍ତର୍ଗତ ମିର୍ଜାପୁର ସବ୍‌-ଷ୍ଟେସନର ଜିଙ୍ଗାକୁ ବିତରଣ କରାଯିବ।

Leave A Reply