ନିର୍ବାଚନ ଆୟୋଗଙ୍କୁ “୨୦୧୯ ସାଧାରଣ ନିର୍ବାଚନ ଲାଗି ସ୍ୱେଚ୍ଛାକୃତ ଆଚାର ସଂହିତା”ପ୍ରଦାନ କଲେ ସାମାଜିକ ଗଣମାଧ୍ୟମ ମଞ୍ଚ

0

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ମଞ୍ଚ ଏବଂ ଭାରତୀୟ ଇଣ୍ଟରନେଟ ଓ ମୋବାଇଲ ସଂଘ (ଆଇଏଏମଏଆଇ) ବୁଧବାର ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଓ ନିର୍ବାଚନ ଆୟୁକ୍ତ  ଅଶୋକ ଲାଭାସା ଓ  ସୁଶୀଲ ଚନ୍ଦ୍ରାଙ୍କୁ “୨୦୧୯ ସାଧାରଣ ନିର୍ବାଚନ ଲାଗି ସ୍ୱେଚ୍ଛାକୃତ ଆଚାର ସଂହିତା” ପ୍ରଦାନ କରିଛନ୍ତି । ମଙ୍ଗଳବାର ଫେସବୁକ, ହ୍ୱାଟ୍ସଆପ, ଟ୍ୱିଟର, ଗୁଗଲ, ସେୟାରଚାଟ ଓ ଟିକଟକ୍ ଆଦି ସାମାଜିକ ଗଣମାଧ୍ୟମ ମଞ୍ଚର ପ୍ରତିନିଧି ଏବଂ ଆଇଏମଏଆଇ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ଏହି ଆଚାର ସଂହିତା ପ୍ରଦାନ କରାଯାଇଛି ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଯେ ଆଚାର ସଂହିତା ବିକଶିତ କରାଯିବା ଏକ ଭଲ ଆରମ୍ଭର ଶୁଭ ସଂକେତ, କିନ୍ତୁ ଏହା ଏକ ନିରନ୍ତର କାର୍ଯ୍ୟ । ଅଂଶଗ୍ରହଣକାରୀମାନେ ଆଦର୍ଶ ଆଚାର ସଂହିତାରେ କରାଯାଇଥିବା ପ୍ରତିବଦ୍ଧତାକୁ ଅକ୍ଷର ଅକ୍ଷରେ ପାଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ । ସିହ୍ନା ସମିତିର ସୁପାରିସ ଆଧାରରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୬ ଅନ୍ତର୍ଗତ କୌଣସି ଉଲ୍ଲଙ୍ଘନ କ୍ଷେତ୍ରରେ ୩ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଞ୍ଚଗୁଡ଼ିକ ପ୍ରତିବଦ୍ଧତା ଜାହିର କରିଥିଲେ ।
ଭାରତର ନିର୍ବାଚନ ଆୟୋଗଙ୍କ ପାଇଁ ଉଚ୍ଚ ପ୍ରାଥମିକତା ସମ୍ପନ୍ନ ସମର୍ପିତ ରିପୋର୍ଟିଙ୍ଗ ବ୍ୟବସ୍ଥା କରିବା ଲାଗି ମଞ୍ଚଗୁଡ଼ିକ ସହମତ ହୋଇଥିଲେ ଏବଂ ସାଧାରଣ ନିର୍ବାଚନ ସମୟରେ କୌଣସି ଉଲ୍ଲଙ୍ଘନ ସମ୍ପର୍କରେ ରିପୋର୍ଟ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସମର୍ପିତ ଦଳ ନିୟୋଜିତ କରିବା ଲାଗି କହିଥିଲେ । ଗଣମାଧ୍ୟମ ପ୍ରମାଣନ ଏବଂ ଅନୁଧ୍ୟାନ ସମିତି ଦ୍ୱାରା ଜାରି କରାଯାଉଥିବା ପ୍ରାକ-ପ୍ରମାଣିତ ବିଜ୍ଞାପନ ଦାଖଲ କରିବା ଲାଗି ରାଜନୈତିକ ବିଜ୍ଞାପନଦାତାଙ୍କ ପାଇଁ ଏକ ବ୍ୟବସ୍ଥା ଯୋଗାଇ ଦେବା ଲାଗି ଅଂଶଗ୍ରହଣକାରୀମାନେ ରାଜି ହୋଇଥିଲେ । ଆର୍ଥିକ ଲାଭ ଥିବା ରାଜନୈତିକ ବିଜ୍ଞାପନରେ ପାରଦର୍ଶିତା ଆଣିବା ବ୍ୟବସ୍ଥା ଆଦର୍ଶ ଆଚାର ସଂହିତାରେ ରହିଛି । ଏହି ସଂହିତାରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଅଂଶଗ୍ରହଣକାରୀଙ୍କ ସହିତ ସମନ୍ୱୟ ରକ୍ଷା କରିବା ଲାଗି ଆଇଏଏମଏଆଇ ରାଜି ହୋଇଥିଲା । ସ୍ୱେଚ୍ଛାକୃତ ଭାବେ ମତଦାତା ସଚେତନତା ଅଭିଯାନ ଆରମ୍ଭ କରିବା ଲାଗି ଅଂଶଗ୍ରହଣକାରୀମାନେ ପ୍ରତିବଦ୍ଧତା ଜାହିର କରିଥିଲେ ।
ସାଧାରଣ ନିର୍ବାଚନ ୨୦୧୯ରେ ମତଦାନ ପ୍ରକ୍ରିୟାରେ ବିଶ୍ୱସନୀୟତା ବଜାୟ ରଖିବା ନିମନ୍ତେ ସାମାଜିକ ଗଣମାଧ୍ୟମ ମଂଚର ମୁକ୍ତ, ସ୍ୱଚ୍ଛ ଏବଂ ଆଦର୍ଶ ଉପଯୋଗ ଲାଗି “ଆଦର୍ଶ ସଂହିତା” ବିକଶିତ କରାଯାଇଛି । ଅଂଶଗ୍ରହଣକାରୀମାନେ ସ୍ୱେଚ୍ଛାକୃତ ଭାବେ ଏହି ସଂହିତାକୁ ମାନ୍ୟ କରିଛନ୍ତି ଏବଂ ଏହା ତୁରନ୍ତ ପ୍ରଭାବରେ ଲାଗୁ ହୋଇଛି ।

Leave A Reply