ସାପ କାମୁଡାରେ ମହିଳା ମୃତ

0

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଡାଯୋର ପଞ୍ଚାୟତ ଅନ୍ତର୍ଗତ କୁଲେରମସ୍କା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତାଙ୍କ ନାମ ହାରାବତୀ ଗୌଡା ।

ସୂଚନା ଅନୁଯାୟୀ, ଶନିବାର ରାତ୍ର ଭୋଜନ ପରେ ହାରାବତୀ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ସେ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସ୍ବାମୀଙ୍କୁ ଉଠାଇ  ଘରର ଆଲୁଅ ଜଳାଇଥିଲେ । ଏହି ସମୟରେ ଘରର ଏକ କୋଣରେ ଗୋଟିଏ ସାପ ଥିବା ଦେଖିବାକୁ ପାଇଥିଲେ । ସ୍ୱାମୀ ଖତ ଗୌଡ ସାପଟିକୁ ସେହିଠାରେ ପିଟି ମାରି ଦେଇଥିଲେ।  ପରେ ଗାଁରେ ସ୍ତ୍ରୀଙ୍କ ଝଡା ଫୁଙ୍କା ଆରମ୍ଭ କରିଦେଇଥିଲେ। ପତ୍ନୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ  ତାଙ୍କୁ  କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ହାରାବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ କାଶୀପୁର ଥାନାରେ ୧୮/୧୯ ଏକ ମାମଲା ରୁଜୁ ହୋଇଛି । ପୁଲିସ ମୃତ ଦେହକୁ ବ୍ୟବଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave A Reply