ଖୋଲିଲା ଲକର, ଖୋଲୁନି ମୃତ୍ୟୁ ରହସ୍ୟ – ସ୍ମିତାରାଣୀଙ୍କ ମୃତ୍ୟୁକୁ ପୁରିଲା ମାସେ

- ତଥାପି ମିଳିନି ସ୍ମିତାରାଣୀଙ୍କ ଭ୍ୟାନିଟି ବ୍ୟାଗ - ଉତ୍ତର ମିଳୁନି କାହିଁକି ବଡଚଣାରୁ ଫେରିଲା ମୃତଦେହ

ଯାଜପୁର: ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ଉପରୁ ଏବେ ବି ଉଠିନି ପରଦା। ଏନେଇ ରାଜ୍ୟ ରାଜନୀତିରେ ଉଠିଛି ଝଡ। ବିଧାନସଭାରେ ଦେଖିବାକୁ ମିଳିଛି ସ୍ମିତାରାଣୀ ତାତି। ତେବେ ଆଜି ବ୍ଲକ କାର୍ୟ୍ୟାଳୟରେ ଥିବା ସ୍ମିତାରାଣୀଙ୍କ ଲକରକୁ ଭଙ୍ଗାଯାଇଛି। ପିଇଓ ବିଭାଗରେ ଥିବା ସ୍ମିତାରାଣୀଙ୍କ ଆଲମିରା ଖୋଲାଯାଇ ବିଭିନ୍ନ କାଗଜପତ୍ରକୁ ଯାଂଚ କରାଯାଇଛି। ମାଜଷ୍ଟ୍ରେଟ୍ ତଥା ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଆଲମିରାର ଲକରକୁ ଭଙ୍ଗାଯାଇଥିଲା। ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ୱାଇଁ, ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସମେତ ବ୍ଲକ କର୍ମଚାରୀ ଏହି ପ୍ରକ୍ରିୟାରେ ସାମିଲ ଥିଲେ। ପରେ ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ସ୍ମିତାରାଣୀଙ୍କ ସରକାରୀ ବାସଭବନକୁ ମଧ୍ୟ ଖୋଲାଯାଇଥିଲା। ଏହି ବାସଭନରେ ସରକାରୀ କାଗଜପତ୍ର ଥିବା ପୁର୍ବରୁ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ ବ୍ଲକ ପ୍ରଶାସନକୁ ଜଣାଇଥିଲେ। ତେବେ ସ୍ୱାମୀ ସୁଶୀଲ ବିଶ୍ୱାଳ ଓ ଶ୍ୱଶୁର ସୀତାକାନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ବାସଭବନ ଖୋଲାଯାଇ ସରକାରୀ ନଥିପତ୍ରକୁ ନିଜ ଅକ୍ତିଆରକୁ ଆଣିଛି ବ୍ଲକ ପ୍ରଶାସନ।

ଏଥିସହ ସ୍ମିତାରାଣୀ କାର୍ୟ୍ୟରତ ଥିବା ହରିଦାସପୁର ପଂଚାୟତ କାର୍ୟ୍ୟାଳୟରେ ପହଂଚି ପ୍ରଶାସନିକ ଅଧିକାରୀମାନେ ସେଠାରେ କାଗଜପତ୍ରକୁ ମଧ୍ୟ ଯାଂଚ କରିଛନ୍ତି। ତେବେ ସ୍ୱାମୀ ସୁଶୀଲ ଏବେ ବି ନ୍ୟାୟ ଅପେକ୍ଷାରେ ଥିବା ବେଳେ ପୁଣି ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛନ୍ତି। ଏପଟେ ସ୍ମିତାରାଣୀଙ୍କ ଶ୍ୱଶୁର ମଧ୍ୟ ପୋଲିସର ତଦନ୍ତ ପକ୍ରିୟାରେ ସନ୍ଦେହ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ତେବେ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନୂତନ ପିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ତଦନୁଯାୟୀ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ସମ୍ବନ୍ଧୀୟ ସରକାରୀ କାଗଜପତ୍ରକୁ ଯାଂଚ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଧର୍ମଶାଳା ବିଡିଓ କହିଛନ୍ତି। ଗତ ଅକ୍ଟୋବର ମାସ ୧୬ ତାରିଖରେ ହରିଦାସପୁର ପଂଚାୟତ ସରପଂଚ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ସ୍ମିତାରାଣୀଙ୍କ ମୃତଦେହ ମିଳିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି।

ଇତି ମଧ୍ୟରେ ସ୍ମିତାରାଣୀଙ୍କ ମୃତ୍ୟୁକୁ ୩୦ ଦିନ ବିତିଥିଲେ ମଧ୍ୟ ତାହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରିନି। ଅନ୍ୟ ପକ୍ଷରେ ସ୍ମିତାରାଣୀ ବ୍ୟବହାର କରୁଥିବା ଭ୍ୟାନିଟି ବ୍ୟାଗ ମଧ୍ୟ ମିଳିପାରିନି। ପୂର୍ବରୁ ସ୍ମିତାରାଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅଣାଯାଉଥିବା ବେଳେ କେଉଁ କାରଣ ପାଇଁ ବଡଚଣାରୁ ଫେରାଇ ନିଆଗଲା ତାହା ମଧ୍ୟ ଏ ଯାଏଁ ଜଣା ପଡ଼ିନାହିଁ।

Comments are closed.