ମୁଁ ସ୍ମିତାରାଣୀ କହୁଛି – ନ୍ୟାୟ ମିଳୁ

- ସଂସଦରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ, ବିରୋଧ କଲା ବିଜେଡି

ନୂଆଦିଲ୍ଲୀ: ସ୍ମିତାରାଣୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ ଦଳ। ଶୁକ୍ରବାର ଅପରାହ୍ଣରେ ଲୋକସଭା ଶୂନ୍ୟକାଳରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ସାଂସଦ ସପ୍ତଗିରି ଦର୍ଶାଇଥିଲେ ଯେ ଧର୍ମଶାଳା ବ୍ଲକ ଅଞ୍ଚଳର ଏହି ରହସ୍ୟଜନକ ମୃତ୍ୟୁ ଘଟଣାକୁ ସଠିକ୍‍ ତଦନ୍ତ ନକରି ମୃତକ ମହିଳା ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ରିପୋର୍ଟ ଦେଇଛି। ସ୍ମିତାରାଣୀ ଘଟଣାର ସିବିଆଇ ତଦନ୍ତ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଥିଲେ। ଏହି ସମୟରେ ଗୃହ ମଧ୍ୟରେ ଉପସ୍ଥିତ ଥିବା ବିଜେଡି ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି ଓ ଭର୍ତ୍ତୃହରି ମହତାବ ନିଜ ଆସନରେ ଛିଡ଼ା ହୋଇ ଜୋରଦାର ବିରୋଧ କରିବା ସହ ହୋହଲ୍ଲା କରିଥିଲେ।

ଗୃହ ବିବରଣୀରୁ ସ୍ମିତାରାଣୀ ପ୍ରସଙ୍ଗକୁ ବାଦ ଦେବା ପାଇଁ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କୁ ନିବେଦନ କରି ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ଶୂନ୍ୟକାଳରେ ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ ଲୋକସଭା ଧାରା ୩୫୨କୁ ବିରୁଦ୍ଧାଚରଣ କରୁଛି। ଏକ ନିର୍ଦିଷ୍ଟ ପ୍ରସଙ୍ଗ ଥରେ କୌଣସି ରାଜ୍ୟ ବିଧାନସଭାରେ ଆଲୋଚନା ହେଲେ ଅଥବା ଅଦାଲତର ବିଚାରାଧୀନ ଥିଲେ ସଂପୃକ୍ତ ପ୍ରସଙ୍ଗଟି ଲୋକସଭାରେ ପୁଣି ଥରେ ଆଲୋଚନା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଘଟଣାଟି ସଂପୂର୍ଣ୍ଣ ଭାବେ ରାଜ୍ୟର ଅଧିକାର ପରିସରଭୁକ୍ତ ଏବଂ ରାଜନୈତିକ କାରଣରୁ ଶୂନ୍ୟକାଳରେ ସ୍ମିତାରାଣୀ ପ୍ରସଙ୍ଗକୁ ଲୋକସଭାରେ ଉତ୍ଥାପନ କରାଯାଉଛି ବୋଲି ପୁରୀ ସାଂସଦ ଦର୍ଶାଇଥିଲେ। ବିଜେଡି ସାଂସଦଙ୍କ ପ୍ରତିବାଦ ପରେ ରେକର୍ଡ ମଗାଇ ଦେଖିବି ବୋଲି କହି ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଆଶ୍ୱାସନା ଦେଇଥିଲେ। ଆଶ୍ଚର୍ୟ୍ୟଜନକ ଭାବେ ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ ବେଳେ ଗୃହ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟତୀତ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ସମସ୍ତ ବିଜେପି ସାଂସଦ ଅନୁପସ୍ଥିତ ଥିଲେ। ସେହିପରି ବିଜେଡିର ଅନ୍ୟ ୯ଜଣ ସାଂସଦ ମଧ୍ୟ ଅନୁପସ୍ଥିତ ରହିଥିଲେ।

Comments are closed.