ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତିକୁ ଶିବସେନାର ସମାଲୋଚନା

0

ମୁମ୍ବଇ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଯେଉଁ ଦୃଢ଼ୋକ୍ତି କରିଛନ୍ତି ତାହାକୁ ସମାଲୋଚନା କରିଛି ଶିବସେନା। ଆଉ ମାତ୍ର କିଛି ବର୍ଷ ଭିତରେ ଭାରତ ସୁପରପାୱାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲା ବେଳେ ତାହା ସମ୍ଭବ ନୁହେଁ ବୋଲି କହିଛି ଶିବସେନା। ଦଳର ମୁଖପତ୍ର ‘ସାମ୍‍ନା’ର ସମ୍ପାଦକୀୟରେ କୁହାଯାଇଛି ଯେ ଯେତେବେଳେ ଟଙ୍କା ମୂଲ୍ୟ ଖସି ଖସି ଯାଉଛି ସେତେବେଳେ ଭାରତ ସୁପରପାୱାର ହେବାର ସମ୍ଭାବନା ବହୁତ କମ୍‍।
ସୂଚନାଯୋଗ୍ୟ, ଆମେରିକୀୟ ଡଲାର ତୁଳନାରେ ଟଙ୍କା ଏବେ ଐତିହାସିକ ରେକର୍ଡ ସ୍ତରକୁ ଖସି ଆସି ୭୦ ଟଙ୍କାରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ମୋଦି ଯେଉଁ ଅଭିବୃଦ୍ଧି କଥା କହିଛନ୍ତି ତାହା କେତେଦୂର ସମ୍ଭବ ବୋଲି ପ୍ରଶ୍ନ କରିଛି ଶିବସେନା। ଗତ ୪ ବର୍ଷ ମଧ୍ୟରେ ଦେଶର ୫ କୋଟି ଲୋକ ଗରିବ ସୀମାରେଖା ବାହାରକୁ ଆସିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। କିନ୍ତୁ ସେମାନେ କେଉଁଠି ଅଛନ୍ତି ବୋଲି ଶିବସେନାର ସମ୍ପାଦକୀୟରେ ପ୍ରଶ୍ନ କରାଯାଇଛି। ସେହିପରି ସମ୍ବିଧାନର ୩୭୦ ଧାରା, କାଶ୍ମୀର ପଣ୍ଡିତ, ଏକକ ନାଗରିକ ସହିଂତା, ରାମ ମନ୍ଦିରର ଭବିଷ୍ୟତ ସମ୍ପର୍କରେ ପ୍ରଶ୍ନ ଉଠାଇଛି ଶିବସେନା। କୃଷକ ଓ ସଂରକ୍ଷଣ ଆନ୍ଦୋଳନ ସମସ୍ୟା ଉତ୍‍ଥାପନ କରି ଶିବସେନା କହିଛି ଯେ ପ୍ରଧାନମନ୍ତ୍ରୀ ଜାତିଭିତ୍ତିକ ରାଜନୀତି କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଓ ବିଜ୍ଞାପନ ବାବଦରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ, ସୀମା ପାର ଆତଙ୍କବାଦରେ ସେନା ସହିଦ, ନିରବ ମୋଦି ଘଟଣାରେ ଶିବସେନା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନଜାଲରେ ଛନ୍ଦିଛି।

Leave A Reply