ସ୍ଥିତି ଖୋଜୁଛି କୋରାପୁଟ ମେଡିକାଲ କଲେଜ

-‘ନିରାମୟ’ କେନ୍ଦ୍ର ନାହିଁ; ଜୀବନ ରକ୍ଷାକାରୀ ଔଷଧ ଅଭାବ
-ବିଦ୍ୟୁତ୍‌କାଟ ହେଲେ ଅନ୍ଧାରରେ ରୋଗୀସେବା; ବନ୍ଦ ରହେ ଡାଏଲିସିସ ୟୁନିଟ
-ସୂତା ଅଭାବରୁ ଅଟକୁଛି ଅସ୍ତ୍ରୋପଚାର

କୋରାପୁଟ  : ଡାକ୍ତରଖାନା ଓ ଥାନାରେ ‘ମୋ ସରକାର’ ଲାଗୁ ହେବା ପରେ ଲୋକଙ୍କୁ ଉନ୍ନତମାନର ସେବା ମିଳିବ ବୋଲି ସାଧାରଣ ଲୋକ ଆଶାବାଦୀ। ଏଠି କିନ୍ତୁ ପ୍ରତି କ୍ଷେତ୍ରରେ ‘ମୋ ସରକାର’ ପ୍ରଭାବହୀନ ପରିଲକ୍ଷିତ ହେଉଛି। ଏଠାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ପରେ ୨୦୦ରୁ ଦୈନିକ ରୋଗୀସଂଖ୍ୟା ପ୍ରାୟ ଦୁଇ ହଜାର ଛୁଇଁଲାଣି। ତଥାପି ଆନୁଷଙ୍ଗିକ ସୁବିଧାସୁଯୋଗ ଅଭାବରୁ ରୋଗୀ ଠିକ୍‌ ଭାବେ ସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ମେଡିକାଲ କଲେଜ ପ୍ରତିଷ୍ଠା ହେବାର ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ବି ଆଜିପର୍ଯ୍ୟନ୍ତ ଏହାର ନିଜସ୍ୱ ନିରାମୟ କେନ୍ଦ୍ର ନାହିଁ। ଜିଲା ସଦର ମହକୁମା ଚିକିତ୍ସାଳୟର ନିରାମୟ କେନ୍ଦ୍ର ଥିବାବେଳେ ଆଜି ପର୍ଯ୍ୟନ୍ତ ମେଡିକାଲ କଲେଜର ନିଜସ୍ୱ ନିରାମୟ କେନ୍ଦ୍ର ନ ଥିବାରୁ ଏଠାରେ ଅଧିକାଂଶ ସମୟରେ ରୋଗୀଙ୍କୁ ଜୀବନ ରକ୍ଷାକାରୀ ଔଷଧ ବାହାରୁ କିଣିବାକୁ ମିଳୁଛି। ଗୋଟିଏ ପଟେ ସରକାରୀ ନିୟମରେ ବାନ୍ଧିହୋଇ ରହିଥିବା ଡାକ୍ତର ବାହାରୁ ଗୋଟିଏ ବି ଔଷଧ ଲେଖୁ ନ ଥିବାବେଳେ ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ଭଳି ସୁବିଧା ସୁଯୋଗ ମିଳିପାରୁନାହିଁ। ଫଳରେ ରୋଗୀ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଉପରୁ ମୁହଁ ଫେରାଉଛନ୍ତି।
ରାଜ୍ୟ ସରକାର କୋରାପୁଟ ସ୍ୱାସ୍ଥ୍ୟ ବିଭାଗକୁ ୫୭୨ ପ୍ରକାର ଔଷଧ ପ୍ରଦାନ କରିବା ପାଇଁ ତାଲିକା ଦେଇଥିବାବେଳେ ୩୭୦ ପ୍ରକାରର ଔଷଧ ପହଞ୍ଚିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି; କିନ୍ତୁ ରୋଗୀ ଔଷଧ ନ ପାଇ ବାହାରୁ କିଣୁଥିବା ଲକ୍ଷ୍ୟ କରାଯାଉଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ରୋଗୀମାନେ ଆବଶ୍ୟକ ଔଷଧ ପାଉ ନ ଥିବା ଅଭିଯୋଗ ହେଉଛି। ରାଜ୍ୟସରକାର ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବାବେଳେ କୋରାପୁଟ ସ୍ୱାସ୍ଥ୍ୟ ବିଭାଗକୁ ଜୀବନ ରକ୍ଷାକାରୀ ୧୦୬ପ୍ରକାର ଔଷଧ ସହ ୫୭୨ ପ୍ରକାରର ଔଷଧ ପ୍ରଦାନ କରିବେ ବୋଲି ଏକ ତାଲିକା ପ୍ରଦାନ କରିଥିଲେ। କିନ୍ତୁ ଗତ କିଛିମାସ ଧରି ପ୍ରୋଗ୍ରାମ ଔଷଧ ସହ ମ୍ୟାଲେରିଆ, କୁଷ୍ଠରୋଗ ଓ ଆରଏନଟିସିପି ବିଭାଗର ଔଷଧ ସମେତ ୩୭୦ପ୍ରକାର ଔଷଧ ଯୋଗାଉଛନ୍ତି। କିନ୍ତୁ ବର୍ତ୍ତମାନ ୩୭୦ ଔଷଧ ମିଳିବା ଦୂରର କଥା, ଜୀବନ ରକ୍ଷାକାରୀ ୧୦୬ ପ୍ରକାର ଔଷଧ ଏହି ମେଡିକାଲ କଲେଜ ଚିକିତ୍ସାଳୟରେ ରୋଗୀ ପାଉ ନ ଥିବା ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ୱେ ଡାକ୍ତରମାନେ ପ୍ରେସ୍କ୍ରିପସନରେ ଲେଖୁଥିବା ଔଷଧ ଚିକିତ୍ସାଳୟରେ ନ ପାଇ ବାହାରୁ କିଣୁଛନ୍ତି। ଚିକିତ୍ସାଳୟରେ ନ ଥିବା ଔଷଧ ସ୍ଥାନରେ ‘ଉପଲବ୍ଧ ନ ଥିବା’ ଷ୍ଟାମ୍ପ ମରାଯିବା କଥା, କିନ୍ତୁ ତାହା ମରା ନ ଯାଇ ନିରାମୟ ଔଷଧ ମିଳୁଥିବା କେନ୍ଦ୍ରରେ ଔଷଧ ଦେବା ପରିବର୍ତ୍ତେ ଖାଲି ଗୋଲ କିମ୍ବା ଛକି ବୁଲାଇ ବାହାରୁ କିଣିବା ପାଇଁ ପରାମର୍ଶ ଦେଉଛନ୍ତି ନିରାମୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ। ଫଳରେ ଗରିବ ରୋଗୀମନେ ଔଷଧ ନ ପାଇ ହଇରାଣ ହରକତ ହୋଇ ଫେରିଯାଉଥିବା ଦେଖିବାକୁ ମିଳୁଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବନ ରକ୍ଷାକାରୀ ୧୦୬ ପ୍ରକାର ସହ ୩୭୦ ପ୍ରକାର ଔଷଧ କୋରାପୁଟକୁ ଆସୁଛି। ସେଥିମଧ୍ୟରୁ ଆବଶ୍ୟକ ମୁତାବକ ଔଷଧ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଚିକିତ୍ସାଳୟକୁ ପ୍ରଦାନ କରାଯାଉଛି। ତେବେ ଡାକ୍ତରମାନେ କାହିଁକି ଲେଖୁନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ। ଅନ୍ୟପକ୍ଷରେ ଏ ନେଇ ଚିକିତ୍ସାଳୟ ଅଧୀକ୍ଷକଙ୍କୁ ପଚାରିବାରୁ ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଔଷଧ ଗଚ୍ଛିତ ରହିଛି। ଯେଉଁ ଔଷଧ ଆମ ପାଖେ ଉପଲବ୍ଧ ନାହିଁ ଚିକିତ୍ସାଳୟ ପକ୍ଷରୁ କ୍ରୟ କରାଯାଇ ରୋଗୀଙ୍କୁ ପ୍ରଦାନ କରାଯାଉଛି ଏବଂ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଔଷଧକୁ ରୋଗୀଙ୍କୁ ଦେବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦିଆଯାଉଛି। ତେବେ କେତେକ ଡାକ୍ତର ଚିକିତ୍ସାଳୟ ପକ୍ଷରୁ ମାଗଣାରେ ଦିଆଯାଉଥିବା ଔଷଧ ନ ଲେଖିବା ଦୁଃଖର ବିଷୟ। ସେହିପରି ନିରାମୟରେ କୌଣସି ଔଷଧ ସରିଗଲେ ‘ଉପଲବ୍ଧ ନ ଥିବା’ ଉଲ୍ଲେଖ କରିବା ତଥା ସିଲ ମାରିବା କଥା, କିନ୍ତୁ କାହିଁକି ମାରୁନାହାନ୍ତି ଏବଂ ଔଷଧ ସରିଲେ ଜଣେଇବା କଥା, କିନ୍ତୁ କାହିଁକି ଜଣାଉନାହାନ୍ତି ତାହା ତଦନ୍ତସାପେକ୍ଷ। ଏସବୁ ନେଇ ସେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏ ନେଇ କିଛି ବିଭାଗୀୟ ମୁଖ୍ୟଙ୍କ ପ୍ରତିକ୍ରିୟା ହେଲା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆବଶ୍ୟକ ଔଷଧ ଲେଖାଯାଉଛି, ଯଦି ନିରାମୟ କେନ୍ଦ୍ରରେ ନ ମିଳୁଛି ତେବେ ରୋଗୀ ଆସି ଦେଖାଇଲେ ବଦଳ ଔଷଧ ମଧ୍ୟ ଲେଖାଯାଉଛି। ତେବେ ନିରାମୟ କେନ୍ଦ୍ର ନ ଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଓ କେତେକ ସ୍ଥାନରେ ଔଷଧ ଗଚ୍ଛିତ ରହି ଖତ ଖାଉଥିବାବେଳେ କୋରାପୁଟ ମେଡିକାଲ କଲେଜ ଭଳି ସ୍ଥାନରେ ଔଷଧ ଉପଲବ୍ଧ ନହେବା ପରିତାପର ବିଷୟ। ଏଭଳି ସ୍ଥିତିରେ ରୋଗୀ ସେବା ଦୟନୀୟ ହୋଇପଡ଼ିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗକୁ ଦେଖି ଔଷଧ ଦେବା କଥା, କିନ୍ତୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱାସ୍ଥ୍ୟମେଳା ଭଳି ଔଷଧର ମହଜୁଦ ଦେଖି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।
‘ନିରାମୟ’ ବ୍ୟତୀତ ଏଠାରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ନ ଥିଲେ ମଧ୍ୟ ମେଡିକାଲ କୋଠାର ଅନେକ ସ୍ଥାନରେ ପାଣି ଗଳୁଥିବା ଦେଖିବାକୁ ମିଳୁଛି। ଠିକ୍‌ଭାବେ ପରିଷ୍କାର ପରିଚ୍ଛନ୍ନତା ଅଭାବ ତଥା ଅନେକ ୱାର୍ଡରେ ବ୍ଲିଚିଂ ପଡୁ ନଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ସହରରେ କୌଣସି କାରଣରୁ ବିଦ୍ୟୁତ୍‌ କାଟ ହେଲେ ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ଧାରରେ ରୋଗୀ ସେବା ହେଉଥିବା ଗୁରୁତର ଅଭିଯୋଗ ହେଉଛି। ଏପରିକି ନିକଟରେ ଗୋଟିଏ ଦିନ ବିଦ୍ୟୁତ୍‌ କାଟ ହେବାରୁ ୬ଜଣ ରୋଗୀଙ୍କ ଡାଏଲିସିସ ହୋଇପାରି ନଥିଲା। ଏ ଘଟଣାର ମାତ୍ର ଦିନେ ଦୁଇଦିନ ଭିତରେ ମେଡିକାଲ କଲେଜ ଓ ହସ୍ପିଟାଲରେ ସୂତା ଅଭାବରୁ ଅସ୍ତ୍ରୋପଚାର ହୋଇପାରି ନ ଥିଲା। ଏପରି ଅନେକ ଅଭାବ ଅସୁବିଧା ମଧ୍ୟରେ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିଜର ସ୍ଥିତି ଖୋଜୁଛି।

Comments are closed.