ବାଲୁଙ୍କେଶ୍ୱରଙ୍କର ପତ୍ରପେଣ୍ଡି ସହିତ ଆରମ୍ଭ ହେଲା ସପ୍ତାହବ୍ୟାପି ଶୀତଳଷଷ୍ଠୀ ଯାତ୍ରା

0

ସମ୍ବଲପୁର : ବୁଧବାର ଦିନ ରାତ୍ର ୯ଟା ସମୟରେ ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡାର ବଂ ବଂ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି ସହିତ ପଶ୍ଚିମ ଓଡିଶାର ସପ୍ତାହବ୍ୟାପି ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।

ସନ୍ଧ୍ୟାରେ ପାରମ୍ପରିକ ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା ପରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଙ୍କର ବରପିତା ରାମଚରଣ ମିଶ୍ର, ସପ୍ତଋଷି ଓ ପଡାର ମୁରବୀ ଶ୍ରେଣୀୟ ଲୋକଙ୍କ ସହିତ ବାଲୁଙ୍କେଶ୍ୱରଙ୍କର ବିବାହ ପାଇଁ ପାତ୍ରୀ ଅନ୍ୱେଷଣ ପାଇଁ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ରୁ ବାହାରିଥିଲେ। ବରପିତା ଭଲ ପାତ୍ରୀର ଖବର ମିଳିବା ପରେ ପାରମ୍ପରିକ ଦୁଲଦୁଲି, ଧମାଲ ବାଜା, ଦଣ୍ଡା ନାଚ ଓ ଆକର୍ଷଣୀୟ ଆଲୋକ ମଧ୍ୟରେ ଏକ ସୁସଜ୍ଜିତ ବାହନରେ କମିଟୀ ସଦସ୍ୟଙ୍କ ସହ ପାତ୍ରୀ (ମାତା ପାର୍ବତୀ) ଙ୍କର ବଡବାପା ତଥା ସାକ୍ଷୀପଡା ନିବାସୀ ଡା. ଗିରିଜା ଶଙ୍କର ତ୍ରିପାଠୀ ଙ୍କ ବାସଭବନକୁ ପହନଚିଥିଲେ। ବରପକ୍ଷ ପହନଚିବା ପରେ କନ୍ୟାପକ୍ଷ ସେମାନଙ୍କୁ ପାଛୋଟି ନେଇଥିଲେ। ଏହା ପରେ ବରପକ୍ଷ ସେମାନଙ୍କର ଆଗମନ ର ଅଭିପ୍ରାୟ କନ୍ୟାପକ୍ଷକୁ ଜଣାଇ କହିଥିଲେ ଯେ ସେମାନଙ୍କର ବିବାହ ଯୋଗ୍ୟ ପୁତ୍ର ପାଇଁ ଏକ କନ୍ୟା ଲୋଡା ଅଛି। ସେମାନେ ତାଙ୍କର ବିବାହଯୋଗ୍ୟ କନ୍ୟା ଥିବାର ଖବର ପାଇ ଏଠାକୁ ଆସିଛନ୍ତି। ଏହା ପରେ କନ୍ୟାପକ୍ଷ ପୁଅ ବିଷୟରେ ପଚାରିବାରୁ ବରପିତାଙ୍କ ସହିତ ଆସିଥିବା ସପ୍ତର୍ଷିଗଣ ପବିତ୍ର ଶ୍ଳୋକର ସହିତ ଦେବ ଦେବ ମହାଦେବଙ୍କର ଗୁଣ ବର୍ଣ୍ଣନା କରିଥିଲେ। ଅତି ସୁନ୍ଦର ମହାଦେବ ଶ୍ମଶାନବାସୀ, ଦେହରେ ପାଉଁଶ ବୋଳି ହୋଇଥାନ୍ତି ବୋଲି ସପ୍ତର୍ଷି କହିଥିଲେ। ଏହା ପରେ କନ୍ୟାପକ୍ଷ ମାତା ପାର୍ବତୀଙ୍କର ଗୁଣ ବର୍ଣ୍ଣନା କରିବା ପରେ ଜଣେ ଶ୍ମଶାନବାସୀ ଙ୍କ ସହିତ ତାଙ୍କର କନ୍ୟାର ବିବାହ କରି ହେବ ନାହିଁ ବୋଲି କହିଥିଲେ। ତେବେ ବିସ୍ତୃତ ଆଲୋଚନା ପରେ ଉଭୟ ପକ୍ଷ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଓ ମାତା ପାର୍ବତୀ ଙ୍କର ବିବାହ ପାଇଁ ରାଜି ହୋଇଥିଲେ।

ଏହା ପରେ ବରପିତା ରାମଚରଣ ମିଶ୍ର କନ୍ୟାମାତା ପିତା ଡା. ପୁର୍ଣ୍ଣେନ୍ଦୁ ତ୍ରିପାଠୀ ଓ ମାତା ଡା. ଜ୍ୟୋତ୍ସାମୟୀ ତ୍ରିପାଠୀ ଙ୍କୁ ସର୍ଗିପତ୍ର ପେଣ୍ଡା, ବେଲପତ୍ର ଓ ପଦ୍ମ ଫୁଲ ଦେଇ ବିବାହ ପାଇଁ ଠିକ କରିଥିଲେ। ସମ୍ପୁର୍ଣ୍ଣ ଲୋକାଚାର ନିତିରେ ଅନୁଷ୍ଠିତ ହୋଇଥିବା ଏହି ପତ୍ରପେଣ୍ଡି ରିତିରେ ସପ୍ତର୍ଷି ଭୁମିକାରେ ବିଜୟ ମିଶ୍ର, କାମପାଳ ହୋତା, ହରିହର ଗୁରୁ, ସିଦ୍ଧେଶ୍ବର ନନ୍ଦ, ସୁଧାଂଶୁ ମିଶ୍ର, ଚକ୍ରଧର ମିଶ୍ର ଓ ଅଚ୍ୟୁତ ମିଶ୍ର ରହିଥିଲେ। ନନ୍ଦପଡା ଯାତ୍ରା କମିଟୀ ପକ୍ଷରୁ ମିଳିତ ସମନ୍ୱୟ ସମିତି ସଭାପତି ଫଣିଭୂଷଣ ମିଶ୍ର, ସଭାପତି ସମୀର ରଞନ ବାବୁ, ଉପସଭାପତି ପ୍ରଭୁଦତ୍ତ ପଣ୍ଡା, ସାଧାରଣ ସମ୍ପାଦକ ଆଶିଷ ବାବୁ, ସହ ସମ୍ପାଦକ ସନତ ନନ୍ଦ, ଯୁଗ୍ମ ସମ୍ପାଦକ ବାଳଗୋପାଳ ନନ୍ଦ, କୋଷାଧ୍ୟକ୍ଷ ଭୁବନ ମୋହନ ମିଶ୍ର, ସହ କୋଷାଧ୍ୟକ୍ଷ ପ୍ରଶାନ୍ତ ବରେଇ, ଅନୀଲ ଦାସ, ସନ୍ତୋଷ ମିଶ୍ର, ସୁଶାନ୍ତ ଦାସ, ବିଭୁତି ମିଶ୍ର, ବିରାଜ ମିଶ୍ର, ମାନସ ରଥ, ସୁଶ୍ରୀତ ମିଶ୍ର, ନିଗମାନନ୍ଦ ମିଶ୍ର, ଦିଲ୍ଲୀପ ମିଶ୍ର, ଆଶୁତୋଷ ମିଶ୍ର, ସୁନୀଲ କୁମାର ତ୍ରିପାଠୀ, ଶିବ ମିଶ୍ର, ସରୋଜ ଦାସ, ଅମୁଲ୍ୟ ମିଶ୍ର, ଦୁର୍ଗାମାଧବ ମିଶ୍ର, ସୁମନ ସାଗର ମିଶ୍ର ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply