ସମ୍ବଲପୁର ଶୀତଳ ଷଷ୍ଠୀ ; ସରିଲା ନିମନ୍ତ୍ରଣ, ଆଜି ବିବାହ

0

ସମ୍ବଲପୁର : ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍‍ରା ଅବସରରେ ଶିବ ବିବାହ ପାଇଁ ଶନିବାର ଦେବ ନିମନ୍ତ୍ରଣ ସଂପନ୍ନ ହୋଇଛି। ଆସନ୍ତା ରବିବାର ରାତିରେ ଦେବାଧିଦେବ ମହାଦେବ ଜଗଜ୍ଜନନୀ ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ବରବେଶରେ ବାହାରିବେ ଓ ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ଲୋକାଚାରରେ ସଂପନ୍ନ ହେବ। ପବିତ୍ର ଶୀତଳଷଷ୍ଠୀ ହେତୁ ସଂସ୍କୃତି ସମୃଦ୍ଧ ସମ୍ବଲପୁର ଉତ୍ସବ ମୁଖର ହୋଇଉଠିଛି। ଅକ୍ଷୟ ତୃତୀୟା ତିଥିରେ ‘ଥାଳଉଠା’ ସହ ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀଙ୍କ ବିବାହ ବିଧି ଆରମ୍ଭ ହୋଇଥିଲା। ଗତ ଦୁଇ ଦିନ ମଧ୍ୟରେ ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ପାର୍ବତୀଙ୍କ ନିର୍ବନ୍ଧ ସରିଛିି। ବୁଧବାର ରାତିରେ ନନ୍ଦପଡ଼ାର ବମ୍‍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର୍‍ପେଁଡ଼ି ଏବଂ ଶୁକ୍ରବାର ରାତିରେ ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କ ବିବାହ ପାଇଁ ନିର୍ବନ୍ଧ ସରିଛି। ଶୁକ୍ରବାର ସନ୍ଧ୍ୟାରେ ବମ୍‍ବରାଡ଼ ବାଲୁଙ୍କେଶ୍ୱରଙ୍କ ବିବାହ ପାଇଁ ନୃସିଂହ ମହାପ୍ରଭୁ ଦେବଦେବୀଙ୍କୁ ନିମନ୍ତ୍ରଣ କରି ସାରିଛନ୍ତି। ଆଜି ଅନ୍ୟ ସମସ୍ତ ଶିବ ବିବାହ ଆୟୋଜନ କରୁଥିବା ଶିବାଳୟ ପକ୍ଷରୁ ପବନ ସୁତ ଶ୍ରୀ ହନୁମାନ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ହନୁମାନଙ୍କ ନିମନ୍ତ୍ରଣ ଶୋଭାଯାତ୍ରାରେ ବରପିତା, ଶିବାଳୟର ପୂଜକ ଓ ଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତା ବାଜା ଓ ରୋଷଣୀ ମଧ୍ୟରେ ବିଭିନ୍ନ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଶିବ-ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବରେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ଆଜି ବାଲିବନ୍ଧାର ଶ୍ରୀ ସୋମନାଥ ବାବା, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ବିବାହ ପାଇଁ ବରପକ୍ଷରୁ ଶ୍ରୀହନୁମାନ ବିଭିନ୍ନ ମନ୍ଦିରରେ ଗୁଆ, ଅରୁଆ ଚାଉଳ ଇତ୍ୟାଦି ଦେଇ ନିମନ୍ତ୍ରଣ କରିଛନ୍ତି। ବରଯାତ୍ରୀଙ୍କ ସ୍ୱାଗତ ଓ ବିବାହ ପାଇଁ କନ୍ୟାପକ୍ଷ ପ୍ରସ୍ତୁତ ହେଲେଣି। ବିବାହ ମଣ୍ଡପ ପ୍ରସ୍ତୁତି ଚାଲିଛି। ଦର୍ଶକ ୧୮ ତାରିଖ ବିଳମ୍ବିତ ରାତିରେ ଆରମ୍ଭ ହୋଇ ୧୯ ତାରିଖ ଦିନତମାମ ଆୟୋଜିତ ହେବାକୁ ଥିବା ନବପରିଣିତ ଦେବଦମ୍ପତିଙ୍କ ଲେଉଟାଣି ଶୋଭାଯାତ୍ରା ଦେଖିବାକୁ ପ୍ରତୀକ୍ଷା କରିଛନ୍ତିି।

Leave A Reply