ଓଡ଼ିଶା ହେବ ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ; ୫ ଶିଳ୍ପ ସଂସ୍ଥାର ୨ଲକ୍ଷ ୪ହଜାର ୬୯କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ

୨୭,୬୪୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଓଡ଼ିଶା ଦ୍ରୁତ ଶିଳ୍ପାୟନ ଆଡ଼କୁ ମୁହାଁଇବା ସହିତ ‌ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ପାଲଟିବାକୁ ଯାଉଛି। ଆଲୁମିନିୟମ, ଇସ୍ପାତ ଉତ୍ପାଦନରେ ଆଗରେ ଥିବା ଓଡ଼ିଶା ଏବେ ପୂର୍ବ ଭାରତର କେମିକାଲ ଓ ପେଟ୍ରୋକେମିକାଲ ହବ ହେବାକୁ ଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଆଧାରରେ ଶିଳ୍ପ ବିଭାଗ ଏକ ଫଳପ୍ରସୂ ଓ ଲୋକାଭିମୁଖୀ ଶିଳ୍ପ ଯୋଜନା ହାତକୁ ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ବିଂଶତମ ଉଚ୍ଚସ୍ତରୀୟ ପ୍ରକଳ୍ପ ମଞ୍ଜୁରି କମିଟି ବୈଠକରେ ୫ଟି ପୁଞ୍ଜିନିବେଶକାରୀ ସଂସ୍ଥା ଦ୍ବାରା ଆଗତ ୨ଲକ୍ଷ ୪ହଜାର ୬୯କୋଟି ଟଙ୍କାର ପାଞ୍ଚଟି ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ନୂତନ ଭାବେ ଉଦଘାଟିତ ଖାରବେଳ ଭବନଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଆସିଥିବା ନିବେଶ ପ୍ରସ୍ତାବ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏ ପର୍ଯ୍ୟନ୍ତ ରାଜ୍ୟରେ ଅନୁମୋଦିତ ପ୍ରକଳ୍ପ ତୁଳନାରେ ଏହା ସବୁଠୁ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ ବୋଲି ଜଣାପଡ଼ିଛି। ଏହାଦ୍ବାରା ୨୭,୬୪୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈଠକରେ ଅନୁମୋଦିତ ସମସ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପ୍ରମୁଖ କ୍ଷେତ୍ର ରସାୟନ, ପେଟ୍ରୋକେମିକାଲ୍ସ ଏବଂ ମେଟାଲ ଡ଼ାଉନଷ୍ଟ୍ରିମ ଶ୍ରେଣୀର ବୋଲି ସୂଚନା ମିଳିଛି। ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶାରେ ଦୁଇଟି ବୃହତ ପ୍ରକଳ୍ପ ପ୍ରତିଷ୍ଠାକୁ ଉଚ୍ଚସ୍ତରୀୟ ବୈଠକରେ ମଞ୍ଜୁରି ମିଳିଛି। ପ୍ରଥମ ପ୍ରସ୍ତାବଟି ହେଉଛି ବାଲେଶ୍ବର ଜିଲାର ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିକଟରେ ଲାଇଟ ଅଶୋଧିତ ତୈଳ ବିଶୋଧନାଗାର, ଏରୋମେଟିକ୍ସ କଂପ୍ଲେକ୍ସ ଏବଂ ଇଥାଇଲିନ କ୍ରାକର କଂପ୍ଲେକ୍ସକୁ ନେଇ ଏକ ହାଇଡ଼୍ରୋକାର୍ବନ ପ୍ରକ୍ରିୟାକରଣ କଂପ୍ଲେକ୍ସ। ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡ଼ (ଏଚପିଏଲ) ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ଏସବୁ ପ୍ରକଳ୍ପରେ ୭୮,୨୨୫କୋଟି ଟଙ୍କା ନିବେଶ କରାଯିବା ସହିତ ୧୦ ହଜାର ଲୋକଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ। ଅନ୍ୟ ପ୍ରସ୍ତାବଟି ହେଲା ଭାରତୀୟ ତୈଳ ନିଗମ ଏହାର ବିଶୋଧନାଗାର ୟୁନିଟକୁ ୧୫ ନିୟୁତ ମେଟ୍ରିକ ଟନରୁ ୨୫ ନିୟୁତ ମେଟ୍ରିକ ଟନକୁ ସମ୍ପ୍ରସାରଣ କରିବ। ପେଟ୍ରୋକେମିକାଲ କଂପ୍ଲେକ୍ସର ଦୁଇଟି ଫିଡ଼ କ୍ରାକର, ନାପଥା କ୍ରାକର ଏବଂ ପେଟ୍ କୋକ ଗ୍ୟାସିଫିକେସନ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଜଗତସିଂହପୁର ଜିଲାର ପାରାଦ୍ବୀପଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପରେ ମୋଟ ୧ଲକ୍ଷ ୩ଶହ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଏହି ପ୍ରକଳ୍ପ ଦ୍ବାରା ୧୨,୫୯୫ ଲୋକ ନିଯୁକ୍ତି ପାଇବେ। ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଆନସିଲାରୀ ଓ ଡାଉନଷ୍ଟ୍ରିମ ୟୁନିଟ ପାଇଁ ଏହା ବି​‌େ​‌ଶଷ ସହାୟକ ହେବ। ଆଇଓସିଏଲ ଏହାର ପାରାଦ୍ବୀପ ବିଶୋଧନାଗାରରେ ୯ହଜାର ୧୩୬କୋଟି ଟଙ୍କା ନିବେଶ ଜରିଆରେ ୧.୨ଏମଏମଟିପିଏ କ୍ଷମତା ବିଶିଷ୍ଟ ପ୍ୟୁରିଫାଏଡ଼ ଟେରେପଥାଲିକ ଏସିଡ଼ କଂପ୍ଲେକ୍ସ(ପିଏକ୍ସ-ପିଟିଏ) ପ୍ରତିଷ୍ଠା କରିବ। ଏହାଦ୍ବାରା ୩୨୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଏସବୁ ପ୍ରକଳ୍ପ ଓଡ଼ିଶାକୁ କେବଳ ପେଟ୍ରୋକେମିକାଲ ହବ ନୁହେଁ, ଶକ୍ତି କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶଦ୍ବାରରେ ପରିଣତ କରିବ। ଉକ୍ତ ପ୍ରକଳ୍ପ ବନ୍ଦର ଭିତ୍ତିିକ ହୋଇଥିବା ଦୃଷ୍ଟିରୁ ଏହା ରପ୍ତାନି ଓ ଆମଦାନୀ କାରବାରକୁ ପ୍ରୋତ୍ସାହିତ କରିବ। ମେସର୍ସ ଜିନ୍ଦଲ(ଇଣ୍ଡିଆ) ଲିମିଟେଡ଼ ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ୦.୫୦ ମେଟ୍ରିକ ଟନ୍ କୋଲ୍ଡ଼ ରୋଲିଂ କଂପ୍ଲେକ୍ସ ଏବଂ ଇସ୍ପାତ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାଜପୁର ଜିଲାର କଳିଙ୍ଗନଗରଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପରେ ୧,୬୭୬କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ସହିତ ୧୩୦୦ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି।
ତାଳଚେରଠାରେ ୧.୯୯ ନିୟୁତ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ କୋଇଲା ଭିତ୍ତିକ ୟୁରିଆ ସାର କଂପ୍ଲେକ୍ସ ପ୍ରତିଷ୍ଠା ପାଇଁ ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଏକ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପାଇଁ ୧୪,୭୩୨କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ସହିତ ୫୫୦ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦିଆଯାଇଛି।

Comments are closed.