ଅଖଣ୍ଡ ଶିକାର ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ପର୍ଯ୍ୟାୟ ଶେଷ

ଖୁଣ୍ଟା : ଶିମିଳିପାଳରେ ବୈଶାଖ ମାସରେ ଅଖଣ୍ଡ ଶିକାରକୁ ପ୍ରତିହତ କରାଯିବା ପାଇଁ ଡୁକୁରା ରେଞ୍ଜରେ ଆରମ୍ଭ କରାଯାଇଥିବା ବନ ବିଭାଗର ୧୧ ଦିନିଆ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହେଉଛି। ତେବେ ଅଦ୍ୟାବଧି ଅଖଣ୍ଡ ଶିକାର ସମ୍ବନ୍ଧୀୟ କୌଣସି ଘଟଣା ବନ ବିଭାଗର ନଜରକୁ ଆସିନଥିବା ଡୁକୁରା ରେଞ୍ଜର ଅନନ୍ତ ଜେନା କହିଛନ୍ତି । ଆଦିବାସୀ ମାନେ ନିଜର ପରମ୍ପରା ଅନୁସାରେ ଏହି ସମୟରେ ଦଳ ଦଳ ହୋଇ ଜଙ୍ଗଲକୁ ଅଖଣ୍ଡ ଶିକାର ପାଇଁ ଯାଇଥାନ୍ତି। ଅଖଣ୍ଡ ଶିକାର ଘଟଣା ଯଦିଚ ସାମ୍ନାକୁ ଆସିନାହିଁ ମାତ୍ର ଜଙ୍ଗଲ ମଧ୍ୟକୁ ଶିମିଳିପାଳ ପାର୍ଶ୍ବବର୍ତ୍ତି ଅଞ୍ଚଳର ଲୋକଙ୍କର ଅସଙ୍ଗଠିତ ଭାବେ ନିୟମିତ ଚଳପ୍ରଚଳ ରହିଛି। ବନ ବିଭାଗର ସ୍ୱତନ୍ତ୍ର ଅଭିଯାନ କଡାକଡ଼ି ଭାବେ ଆରମ୍ଭ କରା ଯାଇଥିବା ବେଳେ ତାହା ଏପ୍ରିଲ ୧୦ ତାରିଖରେ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେଉଛି। ଏହି ସମୟରେ ଡୁକୁରା ରେଞ୍ଜ ଅଧୀନରେ ବହଳଦା, ସପଞ୍ଚୁଆ, ସାନଶୋଳ, ଚନ୍ଦନଚତୁରି, ନିଗିର୍ଦ୍ଧାରେ ସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ଜଙ୍ଗଲ ମଧ୍ୟରେ ୩ ଗୋଟି ସ୍ଥାନରେ ସ୍ୱତନ୍ତ୍ର ମଞ୍ଚା ନିର୍ମଣା କରାଯାଇ ଶିକାରୀ ଓ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖା ଯାଇଥିଲା। ଏହା ବ୍ୟତୀତ ନିୟମିତ ଭାବେ ଜଙ୍ଗଲ ମଧ୍ୟରେ ଫ୍ଲାଗମାର୍ଚ୍ଚ, ଦିନ ଓ ରାତ୍ରି ପଟ୍ରୋଲିଂରେ ବନପାଳ, ବନରକ୍ଷୀ ଓ ୩୦ସୁରକ୍ଷା ସହାୟକ ମାନେ ସାମିଲ ହୋଇଥିଲେ। ଅଖଣ୍ଡ ଶିକାର ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ଅଭିଯାନ ୨୦ ତାରିଖରେ ଶେଷ ହେଉଥିଲା ବେଳେ ଆଗକୁ ଶିକାରୀମାନେ ଜଙ୍ଗଲ ମଧ୍ୟକୁ ଯିବାର ସମ୍ଭାବନାକୁ ଏଡାଇ ଦେଇ ହେବନି। ପରବର୍ତ୍ତି ପଦକ୍ଷେପ ବାବଦରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକଙ୍କ ମତାମତ ଜାଣିବାକୁ ଚାହିଁବାରୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନକୁ କଡାକଡି କରାଯାଇଥିବାବେଳେ ଏପ୍ରିଲ ୨୧ରୁ ମେ ମାସ ୧୦ ତାରିଖ ପର୍ଯ୍ୟନ୍ତ ବନ ବିଭାଗ ଦ୍ୱରା ବିଭନ୍ନ ପ୍ରକାର ସଚେତନତା ମୂଳକ ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ ଶିକାର ବିରୋଧରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଥିଲେ।

Comments are closed.