‘ଡେୟାର ଡେଭିଲ୍‌ସ’ ଟିମ୍‌ର ୬ ଓଡ଼ିଆ ଝିଅଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସରେ ସଲାମ

0

୨୦୧୮ମସିହା ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ମଟରସାଇକଲରେ ମହିଳାମାନଙ୍କ ଚମତ୍କାର କୌଶଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଏହି ‘ଡେୟାର ଡେଭିଲ୍‌ସ’ ଟିମ୍‌ରେ ସାମିଲ ଥିବା ୬ ଓଡିଆ ଝିଅଙ୍କ ମଧ୍ୟରୁ ଅନ୍ୟତମ ହେଲେ ସମ୍ବଲପୁର ଅଖ୍ୟାତ ଆଦିବାସୀ ଗାଁ ଠେମରା ଡୁଙ୍ଗରୀପଡ଼ାର ଦୁଇ କମାଣ୍ଡୋ ଭଉଣୀ ସୁବନ୍ତୀ ଓ ଶୁକମନି।

ମାଙ୍ଗୁରୁ ଖଡ଼ିଆ ଓ ଠେମକିଙ୍କର ଏହି ଦୁଇଝିଅ ଏବେ ବାଂଲାଦେଶ ସୀମା ଜଗିଛନ୍ତି। ସୁବନ୍ତୀ ୨୦୧୨ରେ ଓ ସାନ ଭଉଣୀ ଶୁକମନି ୨୦୧୪ରେ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ। ବିଏସ୍‌ଏଫରେ ଏମାନେ ପ୍ରଥମ ବ୍ୟାଚ୍‌। ପ୍ରଶିକ୍ଷଣ ବେଳର ଅନୁଭୂତି ବର୍ଣ୍ଣନା କରି ଦୁଇଭଉଣୀ କହନ୍ତି, ପ୍ରତିଦିନ ୮ କିଲୋମିଟର ଦୌଡିବା ବାଧ୍ୟତାମୂଳକ ଥିଲା। ୧୪କିଲୋଗ୍ରାମ ଓଜନ ବୋହି ୧୬ରୁ ୨୧ କିଲୋମିଟର ଦୌଡିବା ପରେ ସେଠାରେ ଯୁଦ୍ଧ ଅପରେସନ ତାଲିମ ଦିଆଯାଉଥିଲା। ପ୍ରଶିକ୍ଷଣର ଶେଷ ପର୍ୟ୍ୟାୟରେ ଶତ୍ରୁ ଚକ୍ରବ୍ୟୁହରୁ ବର୍ତ୍ତିବାର କୌଶଳ ଶିକ୍ଷା ଦିଆଗଲା ଯାହା ଥିଲା ସବୁଠାରୁ କଷ୍ଟ। କିଛି ଖାଦ୍ୟପାନୀୟ ନଦେଇ ଗୋଟିଏ ଜଙ୍ଗଲରେ ତିନିଦିନ ପାଇଁ ଛାଡିଦିଆଗଲା, ଯେଉଁ ସମୟରେ ଖାଦ୍ୟ, ପାନୀୟ କି ବିଶ୍ରାମ ସ୍ୱପ୍ନ ଥିଲା।

‘ସୀମା ଭବାନୀ’ରେ ସୁବନ୍ତୀ ମିନି ଲୋଟସ୍‌ ଓ ଶୁକମନି ପାରାଲାଲ୍‌ ବାର୍‌ରେ ଥିଲେ। ଏମାନଙ୍କ ସହିତ ମିତା ହାଁସଦା, ବନିତା ଦାସ, କ୍ରିଷ୍ଣା ଗଡତିଆ, ଅନୁସୟା ସାମଲ ଏହି ଐତିହାସିକ କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ଥିଲେ। ରାଜପଥରେ କେବଳ ଦିନଟିଏ ପ୍ରସ୍ତୁତି କରିପାରିଥିଲେ ବି ଅକ୍ଳାନ୍ତ ପରିଶ୍ରମ ବଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଆମନ୍ତ୍ରିତ ୧୦ଟି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ସମସ୍ତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସରେ ଏମାନଙ୍କୁ ସଲାମ ।

Leave A Reply