ନୂଆ ସରକାର ଗଠନ କରିବ ସିକ୍କିମ୍‍ କ୍ରାନ୍ତିକାରୀ ମୋର୍ଚ୍ଚା

ଗ୍ୟାଙ୍ଗଟକ୍‍: ସିକ୍କିମ୍‍ କ୍ରାନ୍ତିକାରୀ ମୋର୍ଚ୍ଚା ଅଧ୍ୟକ୍ଷ ପ୍ରେମ୍‍ ସିଂହ ଗୋଲେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ରାଜ୍ୟରେ
ନୂଆ ସରକାର ଗଠନପାଇଁ ଦାବି ଉପସ୍ଥାପନ କରିଛନ୍ତି । ତେବେ ବିଧାୟକ ଦଳର ନେତା କିଏ ହେବ, ସେ ସମ୍ପର୍କରେ ଶ୍ରୀ ଗୋଲେ ନୀରବ ରହିଛନ୍ତି।
ଏସକେଏମ୍‍ ଦଳ ୨୦୧୩ ମସିହାରେ ଗଠନ ହୋଇଥିଲା। ୨୦୧୪ ନିର୍ବାଚନରେ ଦଳ ୧୦ଟି ଆସନ ଲାଭ କରିଥିଲା। ଚଳିତ ଥର ନିର୍ବାଚନରେ ମୋଟ ୩୨ଟି ଆସନ ମଧ୍ୟରୁ ଏସକେଏମ୍‍ ୧୭ଟି ଆସନ ସହିତ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ୫ ଥର କ୍ଷମତାକୁ ଆସିଥିବା ଶାସକ ସିକ୍କିମ୍‍ ଡେମୋକ୍ରାଟିକ୍‍ ଫ୍ରଣ୍ଟ୍‍ -ଏସ୍‍ଡିଏଫ୍‍ ୧୫ଟି ଆସନ ପାଇ କମ୍‍ ବ୍ୟବଧାନରେ ସରକାର ଗଠନ କରିବାରୁ ବଞ୍ଚିତ ହୋଇଛି ।

ଗ୍ୟାଙ୍ଗଟକ୍‍ ସ୍ଥିତି ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରେମ୍‍ ସିଂହ ଗୋଲେ କହିଛନ୍ତି, ପରବର୍ତ୍ତୀ ସରକାର ଗଠନ ପାଇଁ ତାଙ୍କ ଦଳକୁ ଆମନ୍ତ୍ରଣ କରିବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ଏସକେଏମ୍‍ ଦଳ ସୂତ୍ରରୁ ପ୍ରକାଶ ଯେ, ଦଳୀୟ ବିଧାୟକମାନେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ଶ୍ରୀ ଗୋଲେଙ୍କ ଉପରେ ଛାଡ଼ିଛନ୍ତି। ପ୍ରେମ୍‍ ସିଂହ ଗୋଲେଙ୍କୁ ପରବର୍ତ୍ତୀ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପୂର୍ବରୁ ରାଜ୍ୟପାଳ ସମ୍ବିଧାନ ବିଶେଷଜ୍ଞମାନଙ୍କ ମତ ଲୋଡ଼ିପାରନ୍ତି । ଶ୍ରୀ ଗୋଲେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ଏକ ବର୍ଷ ପାଇଁ ଜେଲ୍‍ ଦଣ୍ଡ ଭୋଗିବା ସହିତ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରି ନ ଥିଲେ। ସେଥିପାଇଁ ସେ ଏହି ବିଧାନସଭା ନର୍ବିାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରି ନ ଥିଲେ।

Comments are closed.