ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ସିଆଚେନ୍‌

ଲଦାଖ: ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ସିଆଚେନ୍‌ର ବରାଫାବୃତ ଶିଖର ଏଣିକି ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ। ସୋମବାର ଲଦାଖର ଶିଓକ୍‌ ନଦୀରେ ନିର୍ମିତ ସାମରିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଏକ ସେତୁ ଉଦ୍‌ଘାଟନ ଅବସରରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତ ଓ ଚୀନ୍‌ ପାଇଁ ସାମରିକ ଗୁରୁତ୍ବ ବହନ କରୁଥିବା ସିଆଚେନ୍‌ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି ସେତୁ ଦୌଲତ୍‌ ବେଗ୍‌ ଓଲ୍‌ଡି ସେକ୍ଟରକୁ ଚୀନ୍‌ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସହିତ ସଂଯୋଗ କରୁଛି। ଏହି ସେତୁ ନିର୍ମାଣ ଦ୍ବାରା ସିଆଚେନ୍‌ର କିଛି ଅଂଶକୁ ଏଣିକି ପର୍ଯ୍ୟଟକମାନେ ଆସିପାରିବେ। ସିଆଚେନ୍‌ର ମୂଳ ଶିବିରଠାରୁ କୁମାର ପୋଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିବ ବୋଲି ରାଜନାଥ କହିଛନ୍ତି। ଆସନ୍ତା ନଭେମ୍ବର ୧ରୁ ଲଦାଖ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚିତ ହେବାକୁ ଯାଉଥିବାବେଳେ ରାଜନାଥଙ୍କ ଘୋଷଣା ଲଦାଖର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜନାଥ ଚୀନ୍‌ ସହିତ ଭାରତର ସମ୍ପର୍କ ବିଷୟ ଉ​‌ଲ୍ଲେଖ କରିଛନ୍ତି।

ଭାରତ ଓ ଚୀନ୍‌ ମଧ୍ୟରେ ଭାବନାତ୍ମକ ପାର୍ଥକ୍ୟ ଓ ସୀମା ବିବାଦ ରହିଥିଲେ ମଧ୍ୟ କେବେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜି ନାହିଁ। ଉଭୟ ରାଷ୍ଟ୍ର ଅତ୍ୟନ୍ତ ଦାୟିତ୍ବବାନ୍‌ ଓ ପରିପକ୍ବତାର ସହ ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି। ଭାରତୀୟ ସେନା ନିୟମିତ ଭାବେ ସିଆଚେନ୍‌ ଅଭିଯାନ କରୁଥିଲେ; କିନ୍ତୁ ୧୯୮୪ରେ ଏଠାରେ ପାକିସ୍ତାନ ସହିତ ଲଢ଼େଇ ହେବା କାରଣରୁ ସେବେଠାରୁ ଏହା ବନ୍ଦ ରହିଛି। ଏଠାକାର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତୀୟ ଯବାନ ସୀମାନ୍ତକୁ ଜଗି ରହିଛନ୍ତି। ଏହାକୁ ରାଜନାଥ ପ୍ରଶଂସା କରିଛନ୍ତି। ରାଜନାଥଙ୍କ ସହିତ ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.