ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଭାର କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସେନ ଅଫ ଲୟରର୍ସର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏସଆଇଟି ଗଠନ କରି ଜଗନ୍ନାଥ ରତ୍ନ ଭଣ୍ଡାରରେ ଜଗନ୍ନାଥଙ୍କ ସଂପତ୍ତିର ତାଲିକା ପ୍ରସ୍ତୁତ କରିବା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକକୁ ପଦଚ୍ୟୁତ କରିବା ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସେନ ଅଫ ଲୟରର୍ସର ନିବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇନାହାନ୍ତି। ଆଜି ପ୍ରାଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସେନ ଅଫ ଲୟରର୍ସର ଅଧ୍ୟକ୍ଷ ତଥା ଓକିଲ ଦେବାଶିଷ ମିଶ୍ର ଦର୍ଶାଇଥିଲେ ଯେ ପୁରୀ ଶ୍ରୀମନ୍ଦିର ପରିଚାଳନା ଭାର ଗଜପତି ମହାରାଜାଙ୍କ ଠାରୁ ରାଜ୍ୟ ସରକାର ନେବା ଦିନ ଠାରୁ ଶ୍ରୀମନ୍ଦିରରେ ପରିଚାଳନାରେ ଅବ୍ୟବସ୍ଥା ଜାରି ରହିଛି। ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ମନ୍ଦିର ପରିଚାଳନା ବାବଦ ସମସ୍ତ ବିଭ୍ରାଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇ ପାରେ। ପୁରୀ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କରି ତାଙ୍କୁ ପଦଚ୍ୟୁତ କରିବା ପାଇଁ ଆଡଭୋକେଟ ଦେବାଶିଷ ମିଶ୍ର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଡଭୋକେଟ ଶ୍ୱେତକେତୁ ମିଶ୍ର ଇଣ୍ଟରକଣ୍ଟିନେଣ୍ଟାଲ ଆସୋସେନ ଅଫ ଲୟରର୍ସର ଯୁକ୍ତିକୁ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ବିରୋଧ କରିଥିଲେ।

Leave A Reply