କମଳ ନାଥଙ୍କୁ ‘ଡାକୁ’ କହି ସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ

0

ଜବଲପୁର : ମଧ୍ୟପ୍ରଦେଶ ଜବଲପୁର ଜିଲା ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ‘ଡାକୁ’ କହି ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ କନିଷ୍ଠ ବୁନିଆଦି ମଧ୍ୟସ୍କୁଲ ପ୍ରଧାନଶିକ୍ଷକ ମୁକେଶ ତିୱାରୀ ଡାକୁ ବୋଲି ସମ୍ବୋଧିତ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏନେଇ କେତେକ କଂଗ୍ରେସ କର୍ମୀ ଅଭିଯୋଗ କରିବା ପରେ ଜବଲପୁର ଜିଲାପାଳ ଛଭି ଭରଦ୍ୱାଜ  ପ୍ରଧାନ ଶିକ୍ଷକଙ୍କୁ ଗୁରୁବାର ନିଲମ୍ବିତ କରିଛନ୍ତି। ପ୍ରଧାନଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜବଲପୁର କଂଗ୍ରେସ କର୍ମୀ ଏବଂ ନେତାମାନେ ଦାବି କରୁଛନ୍ତି।

ଅନ୍ୟପକ୍ଷରେ ବିଜେପି ଓ ଅନ୍ୟ ଦଳର ନେତାମାନେ ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ଏହା କ’ଣ କଂଗ୍ରେସର ବାକ୍ ସ୍ବାଧୀନତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାରମ୍ବାର ଚୋର ବୋଲି ସମ୍ବୋଧନ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ କ’ଣ କରିବା ଆବଶ୍ୟକ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି ।

Leave A Reply