ନିଆଳିରେ ପୁଣି ଆତଙ୍କ, ମେଣ୍ଢା ମୃତ, ୨ ଆହତ

0

ନିଆଳି: ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ପୁଣି ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ଟି ଆହତ ହୋଇଛନ୍ତି। ଫଳରେ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି।  ବିଗତଦିନରେ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ୪୦୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଗତ ବୁଧବାର ବିଳମ୍ବିତ ରାତିରେ ବାହାରଣା ବିଲସାହିର ରବି ସାହୁଙ୍କ ଗୁହାଳରେ କୌଣସି ଅଜଣାଜନ୍ତୁ ପଶି ଗୋଟିଏ ମେଣ୍ଢାକୁ ମାରି ଦେଇଥିବା ବେଳେ ୨ଟି ମେଣ୍ଢାଙ୍କୁ ଆହତ କରିଛି । ଗୁହାଳରେ ୧୪ଟି ମେଣ୍ଢା ଥିବା ବେଳେ ରାତି ପ୍ରାୟ ୩ଟାରେ ମେଣ୍ଢାଙ୍କ ରଡ଼ିରେ ରବିଙ୍କ ନିଦ ଭାଙ୍ଗିଯାଇଥିଲା। ତୁରନ୍ତ ସେ ଆସି ଗୁହାଳ ଠାରୁ ମାତ୍ର ୨୦ ଫୁଟ ଦୂରରେ ଗୋଟିଏ ମେଣ୍ଢା ମରିପଡ଼ିଥିବା ବେଳେ ଅନ୍ୟ ୨ ମେଣ୍ଢାଙ୍କ ପେଟ କଣା ହୋଇଥିବା ଦେଖିବାକୁ ପାଇଥିଲେ। ଅନ୍ୟ ମେଣ୍ଢାମାନେ ଗୁହାଳରୁ ଏଣେତେଣେ ଦୌଡ଼ି ପଳାଇଥିଲେ। ଗୁରୁବାର ସକାଳୁ ନିଆଳି ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ଜେନା ପହଞ୍ଚି ମୃତମେଣ୍ଢାର ବ୍ୟବଚ୍ଛେଦ କରିବା ସହ ଆହତ ମେଣ୍ଢାଙ୍କ ଚିକିତ୍ସା କରିଥିଲେ। ବନବିଭାଗର ନିଆଳି ବନରକ୍ଷୀ ଗୋଲେଖ ମାହାଳି, ଉତ୍କଳ କେଶରୀ ବେହେରା ଓ କୃଷ୍ଣଚନ୍ଦ୍ର ବସ୍ତିଆ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପୂର୍ବରୁ ଅଜଣାଜନ୍ତୁ ଆକ୍ରମଣରେ ନିଆଳି ଅଞ୍ଚଳରେ ୪୦୦ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ସରକାରଙ୍କ ଘୋଷଣା ସତ୍ତ୍ୱେ ଅଦ୍ୟାବଧି ମେଣ୍ଢାପାଳକଙ୍କୁ କ୍ଷତିପୂରଣ ମିଳିନି।

Leave A Reply