ଆଶ୍ରୟକେନ୍ଦ୍ରରେ ୧୫୭୫ଶିଶୁ ଯୌନ ନିର୍ଯାତନାର ଶିକାର

0

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ବିଭିନ୍ନ ଆଶ୍ରୟକେନ୍ଦ୍ରରେ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ନିର୍ଯାତନା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ମୁଜାଫରପୁର ଘଟଣା ପରିପ୍ରେକ୍ଷୀରେ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏସ୍‍. ଅବଦୁଲ ନଜିର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପୀଠ ଆଶ୍ରୟକେନ୍ଦ୍ରଗୁଡ଼ିକର ପରିଚାଳନା ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ବିଚାରପତି ଲୋକୁର କହିଛନ୍ତି ଯେ ଖବର କାଗଜରେ ଯାହା ସବୁ ବାହାରୁଛି ସେଥିପ୍ରତି ଆମେ ଆଖି କାନ ବନ୍ଦ କରିଦେଇ ପାରିବା ନାହିଁ। ଦେଶରେ ବିଭିନ୍ନ ଆଶ୍ରୟକେନ୍ଦ୍ରରେ ରହୁଥିବା ୧୫୭୫ ଶିଶୁ ଯୌନଶୋଷଣର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୮୬ ବାଳକ। ସରକାର ଏହା ସ୍ୱୀକାର କରୁଛନ୍ତି; କିନ୍ତୁ ସେମାନଙ୍କ ପାଇଁ କ’ଣ କରୁଛନ୍ତି ତାହା ଅବଗତ କରିବା ପାଇଁ ଲୋକୁର ନିର୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦୋଷ ଦେଇ ଖସିଯିବାକୁ ବସିଥିବାବେଳେ କେଉଁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ରାଜ୍ୟ ବିରୋଧରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେବା ଦ୍ୱାରା ଏତେ ସଂଖ୍ୟକ ପିଲାଙ୍କ ଭାଗ୍ୟ ବଦଳୁ ନାହିଁ ବୋଲି କହିଛନ୍ତି ବିଚାରପତି।
ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ ଏହାର ଜବାବରେ କହିଛନ୍ତି ଯେ ସରକାର ଚାଇଲ୍ଡ ଲାଇନ୍‍ ଫାଉଣ୍ଡେସନ୍‍ ମାଧ୍ୟମରେ ସମସ୍ତ ରାଜ୍ୟରେ ସର୍ଭେ କରାଉଛନ୍ତି; କିନ୍ତୁ କିଛି ଫଳ ମିଳୁନାହିଁ। ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର ଆଶ୍ରୟକେନ୍ଦ୍ରଗୁଡ଼ିକ ଉପରେ ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ ସାଇନ୍ସ(ଟିସ୍‍) ଦ୍ୱାରା ଅନୁଷ୍ଠିତ ସାମାଜିକ ସମୀକ୍ଷା ରିପୋର୍ଟ ସାର୍ବଜନୀନ କରିବା ପାଇଁ ଦାବି କରିବାରେ ବିଚାରପତି ଏ ବାବଦରେ ବିହାର ସରକାରଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ କି ୨୦୧୫ ଡିସେମ୍ବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଦୁଇ ବର୍ଷ ଧରି ଏକ ସର୍ଭେ କରାଯାଇଥିଲା ଓ ଏହାର ରିପୋର୍ଟ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ନ୍ୟାସନାଲ କମିଶନ୍‍ ଫର ପ୍ରୋଟେକ୍‍ସନ୍‍ ଅଫ ଚାଇଲ୍ଡ ରାଇଟ୍ସ(ଏନ୍‍ସିପିସିଆର) ପକ୍ଷରୁ ଦେଶର ୩୫୦୦ ଆଶ୍ରୟକେନ୍ଦ୍ରର ପରିଚାଳନା ସମୀକ୍ଷା କରାଯାଇଥିବା ପୀଠକୁ ଅବଗତ କରିଛନ୍ତି ପିଙ୍କି ଆନନ୍ଦ। ଏହି ପରିପ୍ରେକ୍ଷୀରେ ବିଚାରପତି ଗୁପ୍ତା କହିଛନ୍ତି ଯେ କର୍ତ୍ତୃପକ୍ଷ ଆଶ୍ରୟକେନ୍ଦ୍ରଗୁଡି଼କର ପରିଚାଳନାର ଉପଯୁକ୍ତ ମୂଲ୍ୟାଙ୍କନ କରିବା ଉଚିତ। କେନ୍ଦ୍ରର ପିଲାମାନଙ୍କୁ ଜଣଜଣ କରି ପଚାରିବା ସହ ସେମାନଙ୍କ ବ୍ୟକ୍ତିଗତ ମତ ସଂଗ୍ରହ କରାଯିବା ଉଚିତ।
କେନ୍ଦ୍ର ସରକାର ଅଦାଲତରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଚାଇଲ୍ଡଲାଇନ୍‍ ଇଣ୍ଡିଆ ଫାଉଣ୍ଡେସନ୍‍ ଦ୍ୱାରା ୯୫୮୯ଟି ଶିଶୁ ଯତ୍ନ ଗୃହ(ସିସିଆଇ) ଠାବ କରାଯାଇଛି। ଏଥିରେ ଥିବା ମୋଟ ୩ଲକ୍ଷ ୬୮ହଜାର ୨୬୭ ପିଲାଙ୍କର ଯତ୍ନ ଅପରିହାର୍ଯ୍ୟ। ସେମାନଙ୍କ ମଧ୍ୟରେ ୧ଲକ୍ଷ ୯୮ ହଜାର ୪୪୯ ବାଳକ ଓ ୧ଲକ୍ଷ ୬୯ ହଜାର ୭୨୬ ବାଳିକା ଅଛନ୍ତି। ଏହି ପିଲାମାନେ ଅନାଥ ବା ସମାଜରେ ଅବହେଳିତ।

Leave A Reply