ରବୀନ୍ଦ୍ରନାଥଙ୍କ ଉପରେ ବାଂଲାଦେଶ ଅଧିକାର ଅଧିକ : ଶେଖ୍‍ ହସିନା

0

କଲକାତା : ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା କବି ରବୀନ୍ଦ୍ରନାଥ ଠାକୁରଙ୍କ ସହ ବାଂଲାଦେଶର ନିବିଡ଼ ସମ୍ପର୍କ ରହିଛି। ଭାରତ ଏବଂ ବାଂଲାଦେଶ ଜାତୀୟ ଗୀତ ରବୀନ୍ଦ୍ରନାଥ ଠାକୁର ଲେଖିଛନ୍ତି। ବାଂଲାଦେଶରେ ରହଣୀ ବେଳେ ରବୀନ୍ଦ୍ରନାଥ ଏହିସବୁ ଗୀତ ରଚନା କରିଥିଲେ। ତେଣୁ ରବୀନ୍ଦ୍ରନାଥ ଠାକୁରଙ୍କ ଉପରେ ବାଂଲାଦେଶ ଅଧିକାର ଅଧିକ ରହିଛି ବୋଲି ଶାନ୍ତିନିକେତନଠାରେ ବାଂଲାଦେଶ ଭବନର ଉଦ୍‍ଘାଟନ ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା କହିଛନ୍ତି। ଏହାସହ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କୁ ସ୍ୱଦେଶ ଫେରାଇବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ସାହାଯ୍ୟ ମାଗିଛନ୍ତି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ଶୁକ୍ରବାର କଲକାତାଠାରେ କହିଛନ୍ତି ଯେ ମାନବିକତା ଆଧାରରେ ରେହିଙ୍ଗ୍ୟାଙ୍କୁ ଆମେ ଶରଣ ଦେଇଛୁ। ଏବେ ଆମେ ଚାହୁଁଛୁ ରୋହିଙ୍ଗ୍ୟା ସ୍ୱଦେଶକୁ ଫେରିଯାନ୍ତୁ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ମିଅାଁମାର ସହ ଆଲୋଚନା କରନ୍ତୁ ଓ ଆମକୁ ସାହଯ୍ୟ କରନ୍ତୁ। ଏହାପୂର୍ବରୁ ଶେଖ୍‍ ହସିନା ପଶ୍ଚିମବଙ୍ଗଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ମୋଦିଙ୍କ ସହ ଯୋଗଦେଇଥିଲେ। ଏହାପରେ ଉଭୟ ରାଷ୍ଟ୍ର ମୁଖ୍ୟ ଶାନ୍ତିନିକେତନରେ ବାଂଲାଦେଶ ଭବନର ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ଶେଖ୍‍ ହସିନା ରବୀନ୍ଦ୍ରନାଥ ଠାକୁରଙ୍କ ସହ ବାଂଲାଦେଶ ସମ୍ପର୍କ ଉପରେ ଆଲୋକପତା କରିଥିଲେ। ମୋଦି ଶୁକ୍ରବାର ଶାନ୍ତି ନିକେତନ ହେଲିପ୍ୟାଡ଼ଠାରେ ପହଞ୍ଚିଥିଲେ। ସେଠାରେ ଆଗରୁ ଉପସ୍ଥିତ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ କରିଥିଲେ। ମୋଦି ସାମବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଇ କହିଥିଲେ ଯେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଭୂମିକୁ ଆସିବା ମୋର ସୌଭାଗ୍ୟ। ଗୁରୁଦେବ ଭାରତ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ। ଆଜି ବି ଗୁରୁଦେବଙ୍କ ବିଚାରଶକ୍ତି ଓ ଆଦର୍ଶ ଯୁବପିଢିଙ୍କୁ ମାର୍ଗ ଦେଖାଉଛି ଓ ତାଙ୍କ ବିଚାରଶକ୍ତି ପ୍ରାସଙ୍ଗିକ ଅଟେ।

Leave A Reply