ସମୁଦ୍ର ପାଣିକୁ ପାନୀୟ ଜଳ ଉପଯୋଗୀ କରିବାର ପ୍ରଥମ ପ୍ରକଳ୍ପ ପାରାଦ୍ବୀପରେ

0

ଭୁବନେଶ୍ୱର : ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ପାଣି ପାଇଁ ତୃତୀୟ ବିଶ୍ୱଯୁଦ୍ଧ ଭଳି ଆଶଙ୍କା ଦେଶ ପାଇଁ ଏକ ସଂକଟ ଜନକ ପରିସ୍ଥିତି ସୃଷ୍ଟି କରିଛି। କାରଣ ଜୁଲାଇ ୨ୟ ସପ୍ତାହରେ ଯେତେବେଳେ ଦେଶର ଅର୍ଦ୍ଧାଧିକ ଅଞ୍ଚଳ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ସେତେବେଳେ ଚେନ୍ନଇ ମହାନଗରୀକୁ ଟ୍ରେନ ଯୋଗେ ପାଣି ପଠାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସମୁଦ୍ରର ଲୁଣ ପାଣିକୁ ପିଇବା ପାଣି ଉପଯୋଗୀ କରିବା  ପ୍ରୟାସରେ ଲାଗିଛନ୍ତି। ବୈଜ୍ଞାନିକମାନେ ଏ କ୍ଷେତ୍ରରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଯେଉଁ ରାଜ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ସେଥିରେ ଓଡ଼ିଶାକୁ ସାମିଲ କରାଯାଇଛି । ପାରାଦ୍ୱୀପ ବନ୍ଦରରେ ପ୍ରତିଦିନ ଏକ କୋଟି ଲିଟର ସମୁଦ୍ର ପାଣିକୁ ପିଇବା ପାଣି ଉପଯୋଗୀ କରିବାପାଇଁ ଅତ୍ୟାଧୁନିକ ପ୍ଳାଣ୍ଟ ପ୍ରତିଷ୍ଠା ହେବ।


ଏହି ପ୍ରକଳ୍ପ ପାଇଁ ୧୧୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସୋମବାର ପାରାଦ୍ୱୀପ ବନ୍ଦର ଓ ଚେନ୍ନଇସ୍ଥିତ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକ୍ନୋଲୋଜି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପାରାଦ୍ୱୀପ ବନ୍ଦରର ମୁଖ୍ୟଯନ୍ତ୍ରୀ କେ. ରାମଚନ୍ଦ୍ର ରାଓ ଓ ଏନ୍ଆଇଓଟି ପ୍ରକଳ୍ପ ନିର୍ଦେଶକ ଏନ୍.ଭି ରାମନା ମୂର୍ତ୍ତିଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏସଡବ୍ଲୟୁ ଆରଓ (ସି ୱାଟର ରିଭର୍ସ ଓସମୋଶିସ) ଅର୍ଥାତ୍ ସମୁଦ୍ର ଜଳ ଏହି ପ୍ଳାଣ୍ଟ ମାଧ୍ୟମରେ ଲବଣମୁକ୍ତ ହୋଇ ବିଶୁଦ୍ଧ ପାନୀୟ ଜଳ ଭାବେ ବନ୍ଦର ସହରାଞ୍ଚଳକୁ ଯୋଗାଇ ଦିଆଯିବ। ଏଥିପାଇଁ ଖୁବ ଶୀଘ୍ର ଏହି ପ୍ରକଳ୍ପର ଟେଣ୍ଡର ହେବ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଖରାଦିନେ ବନ୍ଦରର ଜଳକଷ୍ଟ ସମ୍ପୂର୍ଣ୍ଣ ଭାବେ ଦୂରୀଭୂତ ହେବ ବୋଲି ଆଶା କରାଯାଉଛି। ପାରାଦ୍ୱୀପ ବନ୍ଦରର ସମୁଦ୍ର ଜଳକୁ ପାନୀୟ ଜଳ କରିବା ପ୍ରକଳ୍ପ ରାଜ୍ୟରେ ଏକ ମାଇଲ ଖୁଣ୍ଟ ସଦୃଶ ହୋଇପାରିବ। ଚୁକ୍ତି ସ୍ୱାକ୍ଷର ଅବସରରେ ବନ୍ଦରର ଅଧିକ୍ଷଣ ଯନ୍ତ୍ରୀ ପିକେ.ବିନ୍ଧାଣି, ବନ୍ଦର ପରିବେଶ ଅଧିକାରୀ ଜିତ୍ ଶତ୍ରୁ ମହାନ୍ତିଙ୍କ ସହିତ ଏନ୍.ଆଇ.ଓଟିର ବୈଜ୍ଞାନିକ ଡଃ.ଶିଶିର କୁମାର ଦାସ ଓ ଡଃ. ଶ୍ୟାମଲା ଉପସ୍ଥିତ ଥିଲେ।
ନୀତିନ ଗଡ଼କରୀ ଉଠାଇଥିଲେ ପ୍ରସଙ୍ଗ : ଦେଶରେ ସମୁଦ୍ର ପାଣିକୁ ଅନ୍ୟ ବ୍ୟବହାର ଉପଯୋଗୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ହିଁ ପ୍ରଥମେ ଗୁରୁତ୍ବାରୋପ କରିଥିଲେ। ଦେଶର ତିନୋଟି ପ୍ରମୁଖ ବନ୍ଦର ପାରଦ୍ବୀପ,ଏନ୍ନୌର ଏବଂ ଚିନ୍ଦବରନାରରେ ସମୁଦ୍ର ପାଣିକୁ ପୁନଃଚକ୍ରଣ କରି ପିଇବା ଉପଯୋଗୀ କରିବା ପାଇଁ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ।
ଲୁଣିପାଣିକୁ ମଧୁର କରିବାରେ ଇସ୍ରାଏଲ ସଫଳ : ସମୁଦ୍ରର ଲବଣ ଜଳକୁ ମଧୁର କରିବା ପାଇଁ ବିଶ୍ବର ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି। ତେବେ ଇସ୍ରାଏଲ ଏ କ୍ଷେତ୍ରରେ ସଫଳତା ହାସଲ କରିଛି। ବ୍ରିଟେନର ମଞ୍ଚେଷ୍ଟର ବିଶ୍ବବିଦ୍ୟାଳୟର ଏକ ବୈଜ୍ଞାନିକ ଦଳ ଗ୍ରେଫିନର ଏପରି ଏକ ଛଣା ଯନ୍ତ୍ର ବିକଶିତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିରୁ ଲବଣ ଅଂଶକୁ ଅଲଗା କରିଦେଉଛି। ଗ୍ରାଫାଇଟରୁ ପ୍ରସ୍ତୁତ ହେଉଥିବା ଏହି ଛଣା ଯନ୍ତ୍ରକୁ ସହଜରେ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଇପାରିବ।

ମୋଦୀ କରିଥିଲେ ଅନୁଧ୍ୟାନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲଅଭିବର ଡୋର ଉପକୂଳରେ ସମୁଦ୍ର ପାଣିକୁ ତତ୍କାଳ ପାନୀୟ ଉପଯୋଗୀ କରିପାରୁଥିବା ଯନ୍ତ୍ରକୁ ନିରୀକ୍ଷଣ କରିଥିଲେ। ଏହି ପ୍ଲାଣ୍ଟକୁ ‘ଭ୍ରାମ୍ୟମାଣ ଜଳ ବିଶୋଧନ ପ୍ଲାଣ୍ଟ’ କୁହନ୍ତି । ଏଠାରେ ୪୦ ବିଶୋଧନ ପ୍ଲାଣ୍ଟ ଅଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହାକୁ ‘ଫ୍ୟୁଚର ଜିପ୍’ କୁହନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ପ୍ରାକୃତିକ ଦୁର୍ବିପାକ ସମୟରେ ଉପଯୋଗ କରାଯାଇ ପାରିବ ବୋଲି କହିଥିଲେ। ଏବେ ଭାରତରେ ଏହାର ଉତ୍ପାଦନ ଉପରେ କାର୍ୟ୍ୟ ଆରମ୍ଭ ହୋଇଛି।

Leave A Reply