ରାତି ପାହିଲେ ଷାଣ୍ମାସିକ ପରୀକ୍ଷା, ସ୍କୁଲରେ ପହଞ୍ଚିନି ପ୍ରଶ୍ନପତ୍ର

ବଡ଼ସାହି: ସମଗ୍ର ରାଜ୍ୟରେ ଏକ ସାଙ୍ଗରେ ଓ ସମାନ ପ୍ରଶପତ୍ରରେ ୧ମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା (ପ୍ରଥମ ସମାପ୍ତି ସୂଚକ ଆକଳନ) ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଏହା ୨୯ତାରିଖରୁ ଆରମ୍ଭ ହେବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷାକାର୍ୟ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଘୋଷଣା ହୋଇଥିଲା। ଏନେଇ ୨୬ତାରିଖରୁ ବ୍ଲକ ମାନଙ୍କୁ ପ୍ରଶ୍ନପତ୍ର ପହଞ୍ଚିବା ଆରମ୍ଭ କରିଥିଲା। ତେବେ ଯୋଗାଣକାରୀ ସଂସ୍ଥା ଯଥା ସମୟରେ ପ୍ରଶ୍ନପତ୍ର ଦେଇ ନପାରିବାରୁ ୧ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଘୁଞ୍ଚିବା ନେଇ ୨୮ ତାରିଖରେ ଘୋଷଣା ହେଲା। ଲଘୁଚାପ ଜନିତ ବର୍ଷାକୁ ଦୋଷାରୋପ କରି ପ୍ରଶ୍ନପତ୍ର ଯୋଗାଣରେ ବ୍ୟାଘାତ ଘଟିଛି ବୋଲି ସଫେଇ ଦିଆଗଲା। ଯୋଗାଣ ସଂସ୍ଥା ପ୍ରଶ୍ନପତ୍ର ସ୍କୁଲ ବା ସିଆରସିସି କ୍ଲଷ୍ଟର ଅନୁଯାୟୀ ପେକିଂ ପରିବର୍ତ୍ତେ ନିଜକୁ ସୁହାଇବା ଭଳି ପେକିଂ କରିଥିବାରୁ ୨୬ତାରିଖରୁ ପ୍ରାୟ ଶିକ୍ଷକ/ଶିକ୍ଷୟତ୍ରୀ ପାଠପଢ଼ା ଛାଡ଼ି ପ୍ରଶ୍ନପତ୍ର ସର୍ଟିଂ ପାଇଁ ସିଆରସିସି କାର୍ୟ୍ୟାଳୟକୁ ଆସି ବିରକ୍ତି ପ୍ରକାଶ କରି ଫେରିଛନ୍ତି। ବଡ଼ସାହି ବିଇଓଙ୍କ କାର୍ୟ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବ୍ଲକରେ ଥିବା ୨୧୯ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୧ମ ଶ୍ରେଣୀରେ ୧୮୩୪ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ୨ୟରେ ୨୧୪୩ଜଣ, ୩ୟରେ ୨୦୬୮ଜଣ, ୪ର୍ଥରେ ୨୦୭୯ଜଣ, ୫ମରେ ୨୧୫୨ଜଣ, ୬ଷ୍ଠରେ ୨୧୭୬ଜଣ, ୭ମରେ ୨୮୩୪ଜଣ ଓ ୮ମରେ ୨୬୭୫ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ପ୍ରତି ପିଲା ପାଇଁ ବିଷୟ ଭିତ୍ତିକ ଗୋଟିଏ ଲେଖାଏଁ ପ୍ରଶ୍ନପତ୍ର ଯୋଗାଇବା କଥା। ମାତ୍ର ପରୀକ୍ଷାର୍ଥୀଙ୍କ ତୁଳନାରେ ପ୍ରଶ୍ନପତ୍ର ଆସିନଥିବା ବେଳେ ୩ୟ, ୪ର୍ଥ ଓ ୫ମଶ୍ରେଣୀର ଇଂରାଜୀ, ୩ୟଶ୍ରେଣୀର ଡ୍ରଇଁର୍, ୭ମ ଓ ୮ମ ଇତିହାସ ଓ ଭୂଗୋଳ, ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର ବିଜ୍ଞାନ ପ୍ରଶ୍ନପତ୍ର ସ୍କୁଲ ମାନଙ୍କରେ ଆଦୌ ପହଞ୍ଚିନାହିଁ। ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ଶୁକ୍ରବାର ଆରମ୍ଭ ହେବାକୁ ଥିବା କେତେକ ଶ୍ରେଣୀର ବିଷୟ ଗୁଡ଼ିକର ଆଦୌ ପ୍ରଶ୍ନପତ୍ର ସ୍କୁଲରେ ପହଞ୍ଚିନାହିଁ। ରାଜ୍ୟ ସ୍କୁଲ, ଏଜୁକେସନ ପ୍ରୋଗ୍ରାମ ଅଥରିଟି ତଥା ଯୁଗ୍ମ ନିର୍ଦେଶକ ସୂର୍ୟ୍ୟନାରାୟଣ ମିଶ୍ର ଚିଠି ଜରିଆରେ ସମସ୍ତ ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ଦେଇଥିବା ନିର୍ଦେଶ ଅନୁଯାୟୀ ପ୍ରଶ୍ନପତ୍ର ଅଭାବ ସମସ୍ୟାକୁ ଜେରକ୍ସ ପ୍ରଶ୍ନପତ୍ର ଯୋଗାଇ ସମାଧାନ ପାଇଁ ଉଲ୍ଲେଖ ଥିବା ବେଳେ ତାହା ମଧ୍ୟ ବଡ଼ସାହି ବ୍ଲକରେ ହୋଇପାରିନାହିଁ। ତେବେ ଏନେଇ ସନ୍ଧ୍ୟା ୮ଟା ସମୟରେ ବିଆରସିସି ବାବାଜୀ ଚରଣ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଭଡ଼ାଗାଡ଼ିରେ ଡ଼ିପିସିଙ୍କ କାର୍ୟ୍ୟାଳୟରୁ ଆଉ କିଛି ପ୍ରଶ୍ନପତ୍ର ଆଣି ପହଞ୍ଚିଥିବା ପ୍ରକାଶ କରିଛନ୍ତି। ତାଙ୍କୁ ଅପେକ୍ଷା କରିଥିବା ବ୍ଲକର ୧୮ଜଣ ସିଆରସିସି ବିଇଓଙ୍କ କାର୍ୟ୍ୟାଳୟରେ ପ୍ରଶ୍ନପତ୍ର ଗୁଡ଼ିକ ସର୍ଟିଂ କରୁଛନ୍ତି। କେତେକ ବିଷୟ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରଶ୍ନପତ୍ର ପହଞ୍ଚି ନଥିବା ବେଳେ କିଛି ବିଷୟରେ ପ୍ରଶ୍ନପତ୍ର ଆଦୌ ପହଞ୍ଚି ନଥିବା କହିଛନ୍ତି। ସରକାର ୫ଟି ଜରିଆରେ ଶାସନକୁ ଜନସାଧାରଣଙ୍କ ନିକଟତର କରିବାକୁ ପ୍ରୟାସ କରୁଥିବା ବେଳେ ଏପରି ଅବ୍ୟବସ୍ଥା ପାଇଁ କିଏ ଦାୟୀ ରହିବ ତାହା ଦେଖିବାକୁ ବାକି ରହିଲା।

Comments are closed.