ଘରୋଇ ସ୍କୁଲରେ ପାଠ ପଢ଼ାଉଛନ୍ତି ସରକାରୀ ଶିକ୍ଷକ

ଧାମରା : ଧାମରାରେ ଶିକ୍ଷା ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକ ସରକାରଙ୍କଠାରୁ ଦରମା ପାଉଥିବା ବେଳେ ବେସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ଧାମରା ଅର୍ନ୍ତଗତ ଜାଗୁଳା ଜିପି ହାଇସ୍କୁଲର କେତେଜଣ ଶିକ୍ଷକଙ୍କ ବିରୋଧରେ ଜିଲା ଶିକ୍ଷା ବିଭାଗ ଏବଂ ବ୍ଲକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବା ପରେ ଏହି ଘଟଣା ପଦାକୁ ଆସିଛି। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭି​‌ଯୋଗ ପହଞ୍ଚିବା ପରେ ସେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ତାଗିଦ୍‌ କରିଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବ୍ଲକ ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକ କହିଛନ୍ତି, ଜାଗୁଳା ଜିପି ହାଇସ୍କୁଲର କେତେଜଣ ଶିକ୍ଷକଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗର ବିଧିବଦ୍ଧ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ। ଏହା ଏକ ହାଇସ୍କୁଲ ହୋଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ କରିବେ ବୋଲି ସେ କହିଛନ୍ତି ।

ଅବସରପ୍ରାପ୍ତ ସିଆରସିସି ନବ କିଶୋର ସେଠୀ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଗଲେ ଆଗାମୀ ଦିନରେ କୌଣସି ସରକାରୀ ଶିକ୍ଷକ ଏପରି ଭୁଲ କରିବେ ନାହିଁ। ଫଳରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ଅବ୍ୟାହତ ହୋଇରହିବ । କଇଥଖୋଲା ସିଆରସିସି ଅନୁପ କୁମାର ଦାସ କୁହନ୍ତି, ସରକାରୀ ଶିକ୍ଷକଙ୍କ ଏପରି କାର୍ଯ୍ୟ ଠିକ୍‌ ନୁହେଁ। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

ଜାଗୁଳା ଜିପି ହାଇସ୍କୁଲର ପ୍ରଧାନଶିକ୍ଷକ ଅଜିତ କୁମାର ପଳିତାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଏହି ଅଭିଯୋଗର ସତ୍ୟତା ଅଛି ଏବଂ ସଂପୃକ୍ତ ଶିକ୍ଷକମାନଙ୍କୁ ତାଗିଦ କରିଛି। କିନ୍ତୁ ସେମାନେ ଶୁଣୁ ନାହାନ୍ତି। ସ୍କୁଲ ସମୟରେ ସ୍କୁଲ ଆସି ପିଲାଙ୍କୁ ପଢ଼ାଉଛନ୍ତି। ଅନ୍ୟ ସମୟରେ ଘରୋଇ ବିଦ୍ୟାଳୟକୁ ଯାଉଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

Comments are closed.