୨୦୭ ଗାଁରେ ନାହିଁ ସ୍କୁଲ,ଅଧାରୁ ପାଠ ଛାଡ଼ିଛନ୍ତି ୩୧୯ ଛାତ୍ରଛାତ୍ରୀ

0

କେନ୍ଦୁଝରଗଡ଼ : ୬ ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କୁ ମାଗଣାରେ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ କେନ୍ଦ୍ର ସରକାର ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ପ୍ରଚଳନ ପରେ ଏହା ଓଡିଶାରେ ଶିକ୍ଷା ଅଧିକାର ଅଧିନିୟମ-୨୦୧୦ରୁ କାର୍ଯ୍ୟକାରୀ ହୋଇଆସୁଛି। ଏହି ଅଧିନିୟମ ପ୍ରଚଳନର ମୂଳ ଲକ୍ଷ୍ୟ ଥିଲା କୌଣସି ପରିସ୍ଥିତିରେ ଶିଶୁ ଶିକ୍ଷାରୁ ଯେଭଳି ବଞ୍ଚିତ ନହୁଏ। ଶିକ୍ଷା ଅଧିକାର ଅଧିନିୟକ ବଳରେ ୧ କି.ମି. ଦୂରତ୍ୱରେ ଅନୁସୂଚିତ ଜନଜାତି ଅଞ୍ଚଳ ପାଇଁ ଏବଂ ଅଣଅନୁସୂଚିତ ଜନଜାତି ଅଞ୍ଚଳ ପାଇଁ ୬ ରୁ ୧୦ବର୍ଷ ପର୍ଯ୍ୟନ୍ତ ୪୦ଜଣ ପିଲା ଥିଲେ ନୂତନ ଭାବେ ବିଦ୍ୟାଳୟ ସ୍ଥାପନ କରାଯାଇ ଶିକ୍ଷାଦାନ ବ୍ୟବସ୍ଥା କରାଯିବାକୁ ଉଲ୍ଲେଖ ରହିଛି। ତେବେ ସରକାରୀ ବିଧିବ୍ୟବସ୍ଥା ଆଳ ଦର୍ଶାଇ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଦୁର୍ଗମ ୨୦୭ଟି ଗାଁରେ ବିଦ୍ୟାଳୟ ନଥିବାରୁ ସେଠାକାର ଅନେକ ଶିଶୁ ସ୍ୱାଧିନତାର ୭୨ବର୍ଷ ପରେ ମଧ୍ୟ ଶିକ୍ଷା ଅଧିକାର ଆଇନରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଅନୁସୂଜିତ ଜନଜାତି ଗବେଷକ ଡକ୍ଟର ବିମ୍ବାଧର ବେହେରା ଅତ୍ୟନ୍ତ କ୍ଷୋଭର ସହ ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ଖୋଦ୍‍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲାରେ ଯଦି ଶିକ୍ଷା ଅଧିକାର ଆଇନ ଏଭଳି କାର୍ଯ୍ୟକାରୀ ହେଉଛି ତାହାଲେ ଅନ୍ୟ ଜିଲାମାନଙ୍କରେ ଏହାର ଚିତ୍ର କିଭଳି ଥିବ ତାହା ଏଥିରୁ ଅନୁମାନ କରାଯାଇପାରେ ବୋଲି ଡକ୍ଟର ବେହେରା କ୍ଷୋଭକ୍ତି ପ୍ରକଟ କରିଛନ୍ତି।
ସର୍ବଶିକ୍ଷା ଅଭିଯାନ ତଥ୍ୟ ଅନୁଯାୟୀ ଜିଲାର ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୩୬ଟି ଗ୍ରାମରେ ବିଦ୍ୟାଳୟ ନଥିବାବେଳେ ପଛକୁ ରହିଛି ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ଘସିପୁରା ଅଧିନ ଘଟଗାଁ ବ୍ଲକରେ ୩୩ଟି ଗ୍ରାମରେ ବିଦ୍ୟାଳୟ ନାହିଁ। ତେଲକୋଇ ବ୍ଲକରେ ୨୮ଟି, ଆନନ୍ଦପୁର ବ୍ଲକରେ ୨୨ଟି ଓ ଆନନ୍ଦପୁର ପୌରାଞ୍ଚଳରେ ଗୋଟିଏ, ଚମ୍ପୁଆ ବ୍ଲକରେ ୨୨ଟି ଓ ଚମ୍ପୁଆ ଏନ୍‍ଏସିରେ ଗୋଟିଏ, ହାଟଡିହୀ ବ୍ଲକରେ ୧୯ଟି, ଯୋଡା ବ୍ଲକରେ ୧୦ଟି ଏବଂ ଯୋଡା ପୌରାଞ୍ଚଳରେ ୫ଟି ଓ ବଡବିଲ ପୌରାଞ୍ଚଳରେ ୪ଟି, ବାଂଶପାଳ ବ୍ଲକରେ ୧୧ଟି, ଘସିପୁରା ବ୍ଲକରେ ୧୦ଟି, କେନ୍ଦୁଝର ସଦର ବ୍ଲକରେ ୩ଟି ଓ କେନ୍ଦୁଝରଗଡ ପୌରାଞ୍ଚଳରେ ଗୋଟିଏ ଏବଂ ଝୁମ୍ପୁରା ବ୍ଲକରେ ମାତ୍ର ଗୋଟିଏ ଗ୍ରାମରେ ଆଦୌ ବିଦ୍ୟାଳୟ ନଥିବା ଜଣାପଡିଛି। ସେଥିମଧ୍ୟରୁ ବାଂଶପାଳ ବ୍ଲକ ବାରହାଗଡ ପଞ୍ଚାୟତର ଜାମୁଡିହା ଗ୍ରାମରେ ବିଦ୍ୟାଳୟ ନଥିବାରୁ ସେଠାକାର ପିଲା ୧୦କି.ମି ଦୂର ଏକ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି। ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତ ତୁରିଙ୍ଗ ଗ୍ରାମର ପିଲାଏ ୮କି.ମି. ଦୂର କନ୍ତଳା ପ୍ରାଥମିକ ବିଦ୍ୟାଳୟ ଓ ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ପାତ୍ରସାହିରେ ବିଦ୍ୟାଳୟ ନଥିବାରୁ ୮କି.ମି ଦୂର ପତଳା ୟୁଜିୟୁପି ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି। ଏତଦ୍‍ବ୍ୟତୀତ ହରିଚନ୍ଦନପୁର, ତେଲକୋଇ, ବାଂଶପାଳ, ଚମ୍ପୁଆ, ଯୋଡା, ଘଟଗାଁ, ହାଟଡିହୀ, ଆନନ୍ଦପୁର, ଘସିପୁରା ଆଦି ବ୍ଲକର ବହୁ ଦୁର୍ଗମ ଅଞ୍ଚଳର ଗାଁରେ ବିଦ୍ୟାଳୟ ନଥିବାରୁ ବାଧ୍ୟ ହୋଇ ଅତିବିପଦଶଙ୍କୁଳ ପରିସ୍ଥିତିରେ ୫ କି.ମି. ଦୂର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି।
ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ, ୧କି.ମି. ଦୂରତ୍ୱରେ ବିଦ୍ୟାଳୟ ନଥିବା ଗ୍ରାମ ଚିହ୍ନଟ କରାଯାଇ ନୂତନ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରଶାସନିକସ୍ତରରେ ପ୍ରତିବର୍ଷ ଉଦ୍ୟମ ହେଉଥିବା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠି କହିଛନ୍ତି। ଏହିକ୍ରମରେ ଶେଷଥର ପାଇଁ ୨୦୧୫-୧୬ରେ ବିଦ୍ୟାଳୟ ନଥିବା ଜିଲାର ୬ଟି ଗ୍ରାମରେ ନୂତନ ବିଦ୍ୟାଳୟ ସ୍ଥାପନ କରାଯାଇଥିବା ବେଳେ ୨୦୧୮-୧୯ ଶିକ୍ଷାବର୍ଷରେ ୬ଟି ନୂତନ ବିଦ୍ୟାଳୟ ଖୋଲିବା ପାଇଁ ଚିଠି ନଂ ୨୨୨୨ ତା ୨୯/୦୬/୨୦୧୮ରିଖ ଯୋଗେ ଅତିରିକ୍ତ ନିର୍ଦ୍ଦେଶକ ଓଡିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅଧିନ କଡୁଆ,ସନ୍ତୋଷପୁର ଓ ଗୋବରମଝିସାହି, ବାଂଶପାଳ ବ୍ଲକର ଲାଉପାଣି, ଘସିପୁରା ବ୍ଲକର ସୁନାଟାଙ୍ଗିରି ଓ ତେଲକୋଇ ବ୍ଲକରମାଙ୍କଡଖଲି ଗ୍ରାମରେ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସରକାରଙ୍କ ଅନୁମୋଦନ ଲୋଡାଯାଇଛି। ତେବେ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଯାତାୟାତଯୋଗ୍ୟ ରାସ୍ତା ନଥିବା ଏବଂ ସରକାରୀ ଜମି ନଥିବା ଦର୍ଶାଇ ହରିଚନ୍ଦନପୁର ବ୍ଲକର ବରେଇଗୋଡା ପଞ୍ଚାୟତର ବଡଜୁମେଇ, ସୁନାପେଣ୍ଠ ପଞ୍ଚାୟତ କନ୍ତଲା ଓ ରେବଣାପଳାଶପାଳ ପଞ୍ଚାୟତର ବୁଢ଼ିପଦା ଜୁଆଙ୍ଗସାହିରେ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସରକାରଙ୍କ ବିଧିବ୍ୟବସ୍ଥା ବାଧକ ସାଜିଛି। କେବଳ ସେତିକିନୁହେଁ, ହାଟଡିହୀ ବ୍ଲକର ୧୭ଟି ଗ୍ରାମରେ ବିଦ୍ୟାଳୟ ସ୍ଥାପନ ପାଇଁ ସମ୍ପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ଅନୁମୋଦନ କରିଥିଲେ ହେଁ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଅଭାବ ସାଙ୍ଗକୁ ସରକାରୀ ଜମି ଅଭାବ ଯୋଗୁଁ ଏହି ପ୍ରସ୍ତାବ ବାଦ୍‍ ପଡିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଜିଲାର ବହୁ ଗ୍ରାମରେ ଏହି କାରଣରୁ ପିଲାଏ ଶିକ୍ଷା ଅଧିକାର ଆଇନରୁ ବଞ୍ଚିତ ହେଉଥିଲେ ହେଁ ଏଥିପ୍ରତି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
୬ ରୁ ୧୪ବର୍ଷ ବୟସ୍କ ଶିଶୁଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ମଧ୍ୟାହ୍ନଭୋଜନ ଠାରୁ ପୋଷାକ, ପାଠ୍ୟପୁସ୍ତକ ଓ ଉପକରଣ ସହ ସାଇକେଲ ଆଦି ମାଗଣାରେ ଯୋଗାଇ ଦିଆଯାଉଥିଲେ ହେଁ ଆବଶ୍ୟକ ତଦାରଖ ଅଭାବରୁ ଏହା କେନ୍ଦୁଝର ଜିଲାରେ ପ୍ରସନରେ ପାଲିଟିଛି। ଅଧାରୁ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବା ଲକ୍ଷ୍ୟରେ ‘ଆସ ପଢ଼ିବା’ ଯୋଜନା କାର୍ଯ୍ୟକ୍ଷମ ସତ୍ତ୍ବେ ସରକାରୀ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ୨୫୧ଜଣ ଛାତ୍ର ଓ ୬୮ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୩୧୯ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଥିବା କୁହାଯାଉଥିଲେ ହେଁ ତାହା ବାସ୍ତବତା ଠାରୁ ଢ଼େର କମ୍‍।

Leave A Reply