ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିର ବାଟ ଦେଖାଇବ ‘ବୃତ୍ତି ଯୋଜନା’

ଭୁବନେଶ୍ବର : ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଡାକ୍ତର,ଇଞ୍ଜିନିୟର ହେବ କି ବିଧାୟକ ସାଂସଦ ହେବ ସେ ସମ୍ପର୍କରେ ସହଜରେ ଜାଣିପାରିବେ। ଶତାଧିକ କର୍ମନିଯୁକ୍ତିର ଯୋଗ୍ୟତା ଓ ମାପଦଣ୍ଡ ଜାଣିବା ସହ ସର୍ବଭାରତୀୟ ପରୀକ୍ଷା ପାଇଁ ମଧ୍ୟ ସହଜରେ ପ୍ରସ୍ତୁତ ହୋଇପାରିବେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ଓ କର୍ମନିଯୁକ୍ତ କ୍ଷେତ୍ରରେ ‘ବୃତ୍ତି ଯୋଜନା’ ପୁସ୍ତକ ଉପାଦେୟ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମତବ୍ୟକ୍ତ କରିଛନ୍ତି।
ଭାରତୀୟ ସାକ୍ଷରତା ପ୍ରକଳ୍ପ(ଇଣ୍ଡିଆନ୍‌ ଲିଟେରେସି ପ୍ରୋଜେକ୍ଟ) ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହଭାଗିତାରେ ଗୀତଗୋବିନ୍ଦ ଭବନରେ ଅନୁଷ୍ଠତି ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ବୃତ୍ତି ଯୋଜନା’ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଥିଲେ ଶିକ୍ଷାର ବିକାଶ ଓ ସାକ୍ଷରତା ବୃଦ୍ଧି କ୍ଷେତ୍ରରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ରାଜ୍ୟର ୫୩ ହଜାର ବିଦ୍ୟାଳୟରେ ୪୨ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନରତ। ପୂର୍ବାପେକ୍ଷା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ସାକ୍ଷରତା ହାର ବଢୁଛି। ଦେଶରେ ଏଯାବତ୍‌ ଏକକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହୋଇପାରିଲା ନାହିଁ। ସେଥିଯୋଗୁଁ ବିଦ୍ୟାର୍ଥୀଙ୍କୁ ନିଜର କାର୍ଯ୍ୟପନ୍ଥା ଧାର୍ଯ୍ୟ କରିବାରେ ସମସ୍ୟା ଉପୁଜୁଛି। ଭାରତୀୟ ସାକ୍ଷରତା ପ୍ରକଳ୍ପ ପକ୍ଷରୁ ପ୍ରକାଶିତ ପୁସ୍ତକ କେଉଁ ଦିଗରେ ଗଲେ ନିଯୁକ୍ତି ମିଳିବ ଓ କ’ଣ ଆବଶ୍ୟକତା ରହିଛି ସେ ଦିଗରେ ଛାତ୍ରଛାତ୍ରୀଙ୍କୁ ବାଟ ଦେଖାଇବ। ଏଥିସହ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତାବ ଦିଆଗଲେ ବିଜ୍ଞାନ ଗବେଷଣା କିଟ୍‌ ଓ ବୃତ୍ତି ପୁସ୍ତିକା ସବୁ ବିଦ୍ୟାଳୟରେ ପହଞ୍ଚାଇବା ଦିଗରେ ବିଭାଗ ପକ୍ଷରୁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସିୱାଇଏସ୍‌ଡିର ସଦସ୍ୟ ସଚିବ ତଥା ପୂର୍ବତନ ସୂଚନା କମିସନର ଜଗଦାନନ୍ଦ କହିଥିଲେ ଭାରତୀୟ ସାକ୍ଷରତା ପ୍ରକଳ୍ପ ଦୀର୍ଘ ୩୦ ବର୍ଷଧରି ଭାରତରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସାକ୍ଷରତା ହାର ବୃଦ୍ଧି ପାଇଁ କାମ କରୁଛି। ଏହି ଯୋଜନା ବର୍ତ୍ତମାନ ୮ ରାଜ୍ୟରେ କାମ କରୁଥିବାବେଳେ ସବୁ ରାଜ୍ୟରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀ କେଉଁ ଦିଗରେ ପାଠ ପଢିବେ ତାହା ବହୁ ଅଭିଭାବକ ବୁଝି ପାରିନଥାନ୍ତି। ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ନିଜର ଲକ୍ଷ୍ୟ ଧାର୍ଯ୍ୟ ଦିଗରେ ଏହି ପୁସ୍ତିକା ସହାୟକ ହେବ ବୋଲି ସେ ମତ୍ୟବକ୍ତ କରିଥିଲେ।
ଅନ୍ୟତମ ଅତିଥି ଭାବେ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଡ.ଆଦିତ୍ୟ ପଟ୍ଟନାୟକ କହିଥିଲେ ବୃତ୍ତି ଯୋଜନା ପୁସ୍ତିିକା ଓ ଗବେଷଣା ଟୁଲ୍‌ ଛାତ୍ରଛାତ୍ରୀଙ୍କ ସୃଜନଶକ୍ତି ବୃଦ୍ଧି ସହ ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖିବାର ପଥ ପରିଷ୍କାର କରିଥାଏ। ସମ୍ବଳ ଓ ସମ୍ପଦକୁ ସୁବିନିଯୋଗ କ୍ଷେତ୍ରରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଡ.ପଟ୍ଟନାୟକ କହିଥିଲେ।
ୟୁଏସିର ସମ୍ପାଦକ ନିମାଇଁ ନାରାୟଣ ଶତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କ୍ଲାପ୍‌ର ସଭାପତି ଡ.ବିକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ସାକ୍ଷରତା ପ୍ରକଳ୍ପର ଜାତୀୟ ସଂଯୋଜକ ଭିକ୍ଟର ଟରୁ କହିଥିଲେ ଆମ ସଙ୍ଗଠନ ଆମେରିକାର ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ଭାରତରେ ଶିକ୍ଷାର ବିକାଶ ଓ ସାକ୍ଷାରତା ହାର ବୃଦ୍ଧି ସଙ୍ଗଠନର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।
ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିଜ୍ଞାନ ଗବେଷଣା କିଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରାୟ ୧୮୦ଟି ସରଞ୍ଜାମ ରହିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ହଜାର ପାଞ୍ଚ ଶହ ଟଙ୍କା। ଏହାକୁ ସବୁ ବିଦ୍ୟାଳୟରେ ପହଞ୍ଚାଇବା ପାଇଁ ମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି କିଟ୍‌କୁ ଇଂ.ବିଜୟ କ୍ରିଷ୍ଣ ପଣ୍ଡା ପରୀକ୍ଷା କରି ଉପାଦେୟତା ସମ୍ବନ୍ଧରେ ବୁଝାଇଥିଲେ। ଗବେଷଣା କିଟ୍‌ ଓ ପୁସ୍ତକକୁ ବିଭିନ୍ନ ବିଦ୍ୟାଳୟରେ ପହଞ୍ଚାଇବାକୁ ସଙ୍ଗଠନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Comments are closed.