ଜାମ୍ମୁ-କାଶ୍ମୀରରେ ଶିଶୁଙ୍କୁ ଅଟକ ପ୍ରସଙ୍ଗ: ନାବାଳକ ନ୍ୟାୟ କମିଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅନ୍ୟମାନଙ୍କ ସହିତ ଏଠାକାର ଶିଶୁଙ୍କୁ ମଧ୍ୟ ଅଟକ ରଖାଯିବା ଅଭିଯୋଗରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଏଠାକାର ନାବାଳକ ନ୍ୟାୟ କମିଟି ଠାରୁ ଜବାବ ଲୋଡିଛନ୍ତି। ଏକ ସପ୍ତାହ ମଧ୍ୟରେ ନିଜର ପ୍ରତିକ୍ରିୟା ଦାଖଲ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏସ.ଏ. ବୋବଡେ ଏବଂ ଏସ. ଅବଦୁଲ ନାଜିରଙ୍କ ପୀଠ କମିଟିକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଜାମ୍ମୁ କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ଅଭିଯୋଗକୁ ଅସ୍ବୀକାର କରିଥିବା ପ୍ରଧାନ ବିଚାରପତି ଗୋଗଇ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କୁ କିଛି ବିବାଦୀୟ ରିପୋର୍ଟ ମିଳିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି।

ସାମାଜିକ କର୍ମୀ ଏନାକ୍ଷୀ ଗାଙ୍ଗୁଲି ଓ ପୂର୍ବତନ ଜାତୀୟ ଶିଶୁ ଅଧିକାର କମିସନ ଅଧ୍ୟକ୍ଷ ଶାନ୍ତା ସିହ୍ନା ଏହି ଆବେଦନ କରିଥିଲେ। ଗତ ସପ୍ତାହରେ ଶୁଣାଣି ବେଳେ ସେମାନେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ତେବେ ଏହି ମାମଲା କାହିଁକି ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରାଗଲା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଉଭୟ ଆବେଦନକାରୀଙ୍କ ଓକିଲ ଏଚ. ଅହମ୍ମଦିଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରେ କଟକଣା ଲାଗୁ ପରେ ସାଧାରଣ ଲୋକେ ହାଇକୋର୍ଟରେ ସିଧାସଳଖ ଆବେଦନ କରି ପାରୁ ନ ଥିବା ଅହମ୍ମଦି ଯୁକ୍ତି ବାଢିଥିଲେ। ଏହାପରେ ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ଠାରୁ ରିପୋର୍ଟ ଲୋଡିଥିଲେ। ଅଗଷ୍ଟ ୫ ପରଠାରୁ ଜାମ୍ମୁ କାଶ୍ମୀରରେ ୪୦୦୦ ଲୋକଙ୍କୁ ଅଟକ ରଖାଯାଇଥିବା ବେସରକାରୀ ସୂତ୍ରରୁ କୁହାଯାଉଛି।

Leave A Reply