ଆଇଏନ୍‍ଏକ୍ସ ମିଡିଆ ମାମଲା : ଇଡି ଠାରୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଠାରୁ ଜବାବ ଲୋଡ଼ିଛନ୍ତି। ଜଷ୍ଟିସ୍‍ ଆର୍‍.ଭାନୁମତୀଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଶ୍ରୀ ଚିଦମ୍ବରମ୍‍ଙ୍କ ଆବେଦନ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ନୋଟିସ୍‍ ଜାରି କରିଛନ୍ତି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଥିବାରୁ ଶ୍ରୀ ଚିଦମ୍ବରମ୍‍ ଏହାକୁ ଚ୍ୟାଲେଞ୍ଜ୍‍ କରି ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲେ।

ସଲିସିଟର୍‍ ଜେନେରାଲ୍‍ ତୁଷାର ମେହେଟ୍ଟା ଇଡି ପକ୍ଷରୁ କୋର୍ଟରେ ହାଜର ହୋଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜବାବ୍‍ ଦେବାକୁ ଜଣାଇଛନ୍ତି। ଖଣ୍ଡପୀଠର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‍ ଏସ୍‍. ବୋପନ୍ନା ଓ ହୃଷୀକେଶ ରାୟ ଅଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୬ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି। ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଶ୍ରୀ ଚିଦମ୍ବରମ୍‍ଙ୍କୁ ଗିରଫ କରାଯାଇଥିଲା ଓ ବର୍ତ୍ତମାନ ସେ ଏକ କଳାଧନ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତରେ ଅଛନ୍ତି।

Comments are closed.