ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲା; ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟିବାକୁ ଅସନ୍ତୁଷ୍ଟ ବିଧାୟକଙ୍କୁ ନିର୍ଦେଶ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ରାଜନୈତିକ ସଙ୍କଟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ବାଚସ୍ପତି ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ କଂଗ୍ରେସ ଏବଂ ଜେଡିଏସର ୧୦ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଗୁରୁବାର ସେମାନଙ୍କ ପିଟିଶନର ଶୁଣାଣି କରିଥିଲେ। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ବିଧାୟକମାନେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଭେଟିବାକୁ ନିର୍ଦେଶ ଦେଇଛନ୍ତି। ସେଠାରେ ସେମାନେ ପୁଣି ଥରେ ଇସ୍ତଫାପତ୍ର ଦେଇପାରିବେ। ବାଚସ୍ପତି ଆଜି ସନ୍ଧ୍ୟା ସୁଦ୍ଧା ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ଦରକାର ଏବଂ ଆସନ୍ତା କାଲି ସକାଳେ ଖଣ୍ଡପୀଠର ଶୁଣାଣି ପୂର୍ବରୁ ଏହା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଛନ୍ତି।

ଏହା ସହିତ ଖଣ୍ଡପୀଠ ଅସନ୍ତୁଷ୍ଟ ବିଧାୟକମାନଙ୍କ ସୁରକ୍ଷା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ବିଧାୟକମାନେ ଯଦି ସୁରକ୍ଷା ଲୋଡ଼ନ୍ତି ତେବେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସୁପ୍ରିମକୋର୍ଟ କର୍ଣ୍ଣାଟକ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ କଂଗ୍ରେସ ଏବଂ ଜେଡିଏସ ମେଣ୍ଟ ସରକାର ଚାଲିଛି। କିନ୍ତୁ ହଠାତ୍‌ କଂଗ୍ରେସ ଓ ଜେଡିଏସର ୧୦ ବିଧାୟକଙ୍କ ସମେତ ୧୫ ବିଧାୟକ ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ ସରକାରର ସଂଖ୍ୟା ଗରିଷ୍ଠତା ହ୍ରାସ ପାଇଛି। ଫଳରେ ମେଣ୍ଟ ସରକାର ଭାଙ୍ଗିବା ନେଇ ଆଶଙ୍କା ଉପୁଜିଛି। ବର୍ତ୍ତମାନ କଂଗ୍ରେସ-ଜେଡିଏସ ମେଣ୍ଟର ୧୦୩ ବିଧାୟକ ଥିବାବେଳେ ବିଜେପିର ୧୦୫ ବିଧାୟକ ରହିଛନ୍ତି। ଇସ୍ତଫା ଦେଇଥିବା ୨ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଥିବାରୁ ବିଜେପିର ସଂଖ୍ୟା ଅଧିକ ରହିଛି।

Comments are closed.