ରାୟ ଶୁଣାଇବା ପୂର୍ବରୁ ଏହିସବୁ ତଥ୍ୟପ୍ରମାଣ ଜଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଐତିହାସିକ ରାୟ ଦେଇ ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହାସହିତ ମୁସଲମାନଙ୍କୁ ଅନ୍ୟତ୍ର ବିକଳ୍ପ ଜାଗା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ତେବେ ରାୟ ଶୁଣାଇବା ପୂର୍ବରୁ ଖଣ୍ଡପୀଠ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟପ୍ରମାଣ ସମ୍ପର୍କରେ ଜଣାଇଥିଲେ। ଖଣ୍ଡପୀଠ କହିଥିଲେ, ନିର୍ମୋହୀ ଆଖଡ଼ା ସେବାୟତ ନୁହନ୍ତି। ବାବ୍ରୀ ମସଜିଦ ମିର୍‌ ବାକି ତିଆରି କରିଥିଲେ। ପ୍ରତ୍ନତତ୍ତ୍ଵ ବିଭାଗ ସର୍ଭେ ଓ ରିପୋର୍ଟକୁ ଅଣଦେଖା କରାଯାଇପାରିବ ନାହିଁ। ପ୍ରତ୍ନତତ୍ତ୍ଵ ବିଭାଗ ସର୍ଭେ ଅନୁସାରେ ଦ୍ବାଦଶ ଶତାବ୍ଦୀରେ ମନ୍ଦିର ଥିଲା। ଦ୍ବାଦଶରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ କୌଣସି ତଥ୍ୟ ପ୍ରମାଣ ମିଳୁନାହିଁ। ଏଏସଆଇ ରିପୋର୍ଟ ଅନୁସାରେ ନିର୍ମାଳ ତଳେ ମନ୍ଦିରର ଢାଞ୍ଚା ରହିଛି। ମସଜିଦ କୌଣସି ଖାଲିଥିବା ସ୍ଥାନରେ ନିର୍ମାଣ ହୋଇଥିବା ଜଣାପଡ଼ୁ ନାହିଁ। ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିବା ସ୍ପଷ୍ଟ ପ୍ରମାଣ ମିଳୁନାହିଁ। ଅଯୋଧ୍ୟା ରାମଙ୍କ ଜନ୍ମଭୂମି ଥିବା ହିନ୍ଦୁମାନଙ୍କ ଦୃଢ଼ ବିଶ୍ଵାସ ରହିଛି। ଅଯୋଧ୍ୟା ହିଁ ରାମଙ୍କ ଜନ୍ମଭୂମି। ଏଥିରେ କୌଣସି ସନ୍ଦେହ ନାହିଁ। ଇଂରେଜ ଶାସନ ଅମଳ ପର୍ଯ୍ୟନ୍ତ ସେଠାରେ ନମାଜ ପାଠର ପ୍ରମାଣ ନାହିଁ। ଇଂରେଜ ଆସିବା ପୂର୍ବରୁ ସେଠାରେ ହିନ୍ଦୁମାନେ ପୂଜା କରୁଥିଲେ। ରାମ ଚଉତରା ଏବଂ ସୀତା ରୋଷେଇ ସ୍ଥଳରେ ହିନ୍ଦୁ ପୂଜା କରୁଥିଲେ। ରାମ ଜନ୍ମଭୂମି ମସଜିଦ ଭିତରେ ରହିଥିବା ହିନ୍ଦୁ ବିଶ୍ଵାସ କରୁଛନ୍ତି ବୋଲି କୋର୍ଟ କହିଥିଲେ।

Comments are closed.