ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲା : ହିମାଚଳରୁ ୩ ଗିରଫ

0

ନୂଆଦିଲ୍ଲୀ : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟର ପର୍ଦାଫାସ ହୋଇଛି। ଏହି ଘଟଣାର ସମ୍ପୃକ୍ତି ହିମାଚଳ ପ୍ରଦେଶ ସହିତ ରହିଛି। ଏଠାକାର ଉନା ଜିଲାସ୍ଥିତ ଡିଏଭି ସ୍କୁଲର ତିନିଜଣ କର୍ମଚାରୀ ପ୍ରଶ୍ନପତ୍ର ପ୍ରଘଟର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି। ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ପୁଲିସ ଶନିବାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ଏହି ସ୍କୁଲର କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ରାକେଶ, କ୍ଲର୍କ ଅମିତ୍‌ ଏବଂ ପିଅନ୍‌ ଅଶୋକଙ୍କୁ ଗିରଫ କରିଛି। ନୂଆଦିଲ୍ଲୀଠାରେ ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ପୁଲିସ ଅଭିଯୋଗ ଉପରେ ଖୋଳତାଡ଼ କରି ହିମାଚଳ ପ୍ରଦେଶରେ ପହଞ୍ଚିଥିଲା। ସେଠାରେ ଏହି ଅଭିଯୁକ୍ତମାନଙ୍କ ଉପରେ ସନ୍ଦେହ କରି ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା। ତଦନ୍ତକାରୀମାନେ ସେମାନଙ୍କୁ ପ୍ରଥମେ ଜେରା କରିଥିଲେ। ପରେ ସମସ୍ତଙ୍କୁ ଗିରଫ କରି ନୂଆଦିଲ୍ଲୀ ଅଣାଯାଇଛି। ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନଗୁଡିକୁ ଅନ୍ୟ ଏକ କାଗଜରେ ହାତରେ ଲେଖିବା ପରେ ପ୍ରଘଟ କରାଯାଇଥିବା ତଦନ୍ତରୁ ଜଣାପଡିଛି।
ମାର୍ଚ୍ଚ ୨୬ରେ ସିବିଏସ୍‌ଇ ଅର୍ଥନୀତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମ ହ୍ୱାଟସଆପ୍‌ ଦ୍ୱାରା ପ୍ରଘଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏପ୍ରିଲ ୧ରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଭାବନାସ୍ଥିତ ଘରୋଇ ସ୍କୁଲ ‘ମଦର ଖାଜାନି କନ୍‌ଭେଣ୍ଟ ସ୍କୁଲ’ର ଦୁଇ ଜଣ ଶିକ୍ଷକ ରିଷବ (୨୯) ଏବଂ ରୋହିତ (୨୬) ଏବଂ ଏକ କୋଚିଂ ସେଣ୍ଟର ଅଧ୍ୟାପକ ତୌକୀର (୨୬)ଙ୍କୁ ଗିରଫ କରାଯାଇଥିଲା। କେନ୍ଦ୍ର ଶିକ୍ଷା ସଚିବ ଅନୁପ ସ୍ୱରୂପ କହିଛନ୍ତି, ପରୀକ୍ଷାର ସୁପରିଚାଳନାରେ ଅବହେଳା କାରଣରୁ ସିବିଏସ୍‌ଇ ଅଧିକାରୀ କେ. ଏସ୍‌. ରାଣାଙ୍କୁ ନିଲମ୍ବିତ କରାଯାଇଛି। ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ସହିତ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉଠିବା ପରେ ବୋର୍ଡ ପକ୍ଷରୁ ପୁନଃ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବୋର୍ଡର ନିଷ୍ପତ୍ତିକୁ ବିରୋଧ କରି ସିବିଏସ୍‌ଇ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପୂର୍ବ ଘୋଷଣା ଅନୁଯାୟୀ ଅର୍ଥନୀତି ପରୀକ୍ଷା ଏପ୍ରିଲ ୨୫ରେ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପୁନଃ କରାଇବାର ଆବଶ୍ୟକତା ନ ଥିବା ଦର୍ଶାଯାଇଥିଲା। ଅନ୍ୟପଟେ ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ତୁରନ୍ତ ଦଣ୍ଡିତ କରିବା ଲାଗି ଛାତ୍ରଛାତ୍ରୀ ମହଲରୁ ଦାବି ଜୋର୍‌ ଧରିଥିଲା। ସିବିଏସ୍‌ଇ ପକ୍ଷରୁ କ୍ରାଇମବ୍ରାଞ୍ଚ ନିକଟରେ ଏ ନେଇ ୨ଟି ମାମଲା ରୁଜୁ ହୋଇଥିଲା। ପୁଲିସ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ତଦନ୍ତ ଜାରି ରଖିଥିଲା। ଅନ୍ୟପଟେ ଆଗାମୀ ଦିନରେ ସିବିଏସ୍‌ଇ ପରୀକ୍ଷାକୁ ସ୍ୱଚ୍ଛ କରାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

Leave A Reply