ଦେବଦମ୍ପତିଙ୍କ ଲେଉଟାଣି ଆରମ୍ଭ

0

ସମ୍ବଲପୁର  : ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ବହୁ ପ୍ରତୀକ୍ଷିତ ଅଧ୍ୟାୟ ନବପରିଣିତ ଦେବଦମ୍ପତିଙ୍କ ଲେଉଟାଣୀ ସୋମବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ରବିବାର ବ୍ରାହ୍ମମୁହୂ୍‍ର୍ତ୍ତରେ ମହାଦେବ ଜଗଜ୍ଜନନୀ ମାତା ପାର୍ବତୀଙ୍କ ପାଣିଗ୍ରହଣ କଲା ପରେ ଆଜି ବିଳମ୍ବିତ ରାତିରେ ଦେବୀଙ୍କ ସହ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି। ସୋମବାର ବିଳମ୍ବିତ ରାତ୍ରିରେ ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର ବାବା ନବ ପରିଣିତା କରୁଣାମୟୀ ଜଗଜ୍ଜନନୀ ମା’ ପାର୍ବତୀଙ୍କୁ ସାଙ୍ଗରେ ନେଇ ଥାଟ ପଟୁଆରରେ ବାହାରିଛନ୍ତି। ଆଜି ଅପରାହ୍ନରେ କନ୍ୟାପକ୍ଷ ଝିଅ-ଜ୍ୱାଇଁଙ୍କୁ ପାରମ୍ପରିକ ରୀତିରେ ବିଦାୟ ଦେଇଥିଲେ। ମଧ୍ୟରାତ୍ରିରେ ମଙ୍ଗଳ ଆଳତୀ ପରେ ଦେବଦମ୍ପତିଙ୍କ ଭବ୍ୟ ଲେଉଟାଣୀ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଶୋଭାଯାତ୍ରା ମଙ୍ଗଳବାର ଦିନତମାମ ନଗର ପରିକ୍ରମା କରି ସନ୍ଧ୍ୟାରେ ସ୍ୱମନ୍ଦିର ସମ୍ମୁଖରେ ଶେଷ ହେବ। ସମ୍ବଲପୁର ଶୀତଳ ଷଷ୍ଠୀର ମୁଖ୍ୟ ଶୋଭାଯାତ୍ରା ଆୟୋଜନ କରୁଥିବା ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା କମିଟି ଚଳିତ ବର୍ଷ ପ୍ରାୟ ୮୫ ଲକ୍ଷ ଟଙ୍କା ବ୍ୟୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ମୁଖ୍ୟ ଶୋଭଯାତ୍ରାରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ୮ ହଜାର କଳାକାର ଯୋଗ ଦେଇଛନ୍ତି। ସେହିପରି ବଡ଼ବଜାର ଓ ଠାକୁରପଡ଼ା ଷଷ୍ଠୀ ଶୋଭାଯାତ୍ରାରେ ୩୮ ଲକ୍ଷ ଟଙ୍କା ବ୍ୟୟରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଦୁଇ ପଡ଼ାର ଶୋଭାଯାତ୍ରାରେ ୫ ହଜାର କଳାକାର ଯୋଗ ଦେଇଛନ୍ତି। ଷଷ୍ଠୀ ଯାତ୍ରାରେ ଲୋକନୃତ୍ୟ, ଲୋକବାଦ୍ୟ ଓ ସିନେମା ସଙ୍ଗୀତରେ ଆଧୁନିକ ନୃତ୍ୟର ସମାହାର ଦେଖିବାକୁ ମିଳିଛି। ରାଜ୍ୟରୁ ବିଭିନ୍ନ ଅଞ୍ଚଳରୁ ଦର୍ଶକଙ୍କ ସମାଗମ ଯୋଗୁ ସମ୍ବଲପୁର ସହର କ୍ରମେ ଜନସମୁଦ୍ର ପାଲଟୁଛି।

Leave A Reply