କାଳବୈଶାଖୀରେ ସମଲେଶ୍ୱରୀ ମନ୍ଦିର ଧ୍ୱଜା ନଷ୍ଟ

0

ସମ୍ବଲପୁର : ଝଡ଼ବର୍ଷା ଓ ବଜ୍ରପାତରେ ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ଧ୍ୱଜା ନଷ୍ଟ ହୋଇଯାଇଛି। ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବଜ୍ରପାତ ଯୋଗୁ ଧ୍ୱଜାର କିଛି ଅଂଶ ପ୍ରଭାବିତ ହୋଇଛି। କିନ୍ତୁ ପ୍ରବଳ ବେଗରେ ପବନ ବହିବାରୁ ସିଲ୍‍କ କପଡ଼ା ତିଆରି ଧ୍ୱଜା ବାରମ୍ବାର ଦଣ୍ଡରେ ପିଟି ହୋଇ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇ ତଳେ ପଡ଼ିଛି। ମନ୍ଦିର ଶୀର୍ଷରୁ ଛୋଟ ଛୋଟ ସିମେଣ୍ଟ ଖଣ୍ଡ ମଧ୍ୟ ଖସିଛି। ଅବଶ୍ୟ ବର୍ଷା ଯୋଗୁଁ ଧ୍ୱଜା ଭିଜି ଯାଇଥିବାରୁ ବଜ୍ରପାତରେ ସମ୍ପୂର୍ଣ୍ଣ ଜଳି ନାହିଁ। ଧ୍ୱଜା ଲାଗିଥିବା ଦଣ୍ଡ ମଧ୍ୟ ପ୍ରଭାବିତ ହୋଇନାହିଁ। ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି। ବଜ୍ରପାତ ଯୋଗୁଁ ଧ୍ୱଜାର ଗୋଟିଏ ପାର୍ଶ୍ବ ପ୍ରଭାବିତ ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ଧ୍ୱଜା ବାରମ୍ବାର ଧାତବ ଦଣ୍ଡରେ ପିଟି ହୋଇ ଛିଣ୍ଡୁଥିବା ମନ୍ଦିର ଟ୍ରଷ୍ଟବୋର୍ଡ଼ ସଭାପତି ସଞ୍ଜୟ କୁମାର ବାବୁ କହିଛନ୍ତି। ମନ୍ଦିରକୁ ବଜ୍ରପାତରୁ ରକ୍ଷା କରିବା ପାଇଁ ଏହାର ଚୂଡ଼ାରେ ବଜ୍ରପାତ ନିରୋଧୀ ଲଗାଯିବା ପାଇଁ ୨ ବର୍ଷ ତଳୁ ନିଷ୍ପତ୍ତି ହୋଇଛି। କିନ୍ତୁ ପରିଚାଳନା କମିଟିର ଉଦାସୀନତା ଯୋଗୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।

Leave A Reply